ରିପୋର୍ଟ : ରାମନାଥ ଗନ୍ତାୟତ
ନୂଆଦିଲ୍ଲୀ/ଭୁବନେଶ୍ୱର, (୧୪/୦୬) : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-୨୦ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ‘କର ବା ମର’ ସ୍ଥିତିରେ ରହିଛି । ଆଉ ଗୋଟିଏ ପରାଜୟ ସିରିଜ ଆଶା ଛଡ଼ାଇ ନେବ ।
ଆଜି ତୃତୀୟ ଟି-୨୦ ରେ ସବୁ ଶକ୍ତି ଖଟାଇ ଭାରତକୁ ଜିତିବାକୁ ହେବ । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତରେ କୌଣସି ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇନାହିଁ । ଏଥର ମଧ୍ୟ ବିଜୟ ଆଶା ଉଜ୍ଜ୍ୱଳ ରଖିଛି । ପ୍ରଥମ ୨ଟି ଯାକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତିଥିଲା ପ୍ରଥମେ ଫିଲ୍ଡିଂ କରି ଉଭୟ ମ୍ୟାଚ୍ ଜିତିଥିଲା । ମଙ୍ଗଳବାର ମଧ୍ୟ ମ୍ୟାଚ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ସହଜ ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ ।
ଦକ୍ଷିଣ ଆଫ୍ରିକା ୨ଟି ଯାକ ମ୍ୟାଚ୍ରେ ଟସ୍ ଜିତିଥିଲା । ଭାରତକୁ ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ହେବ । ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ଏସବୁ ସମ୍ଭବ ହେଲେ ବିଜୟ ସହଜ ହୋଇ ପାରିବ । ରିଷଭ ପନ୍ତଙ୍କ ଅପରିପକ୍ୱ ନେତୃତ୍ୱ ଯୋଗୁଁ ଭାରତ ଦ୍ୱିତୀୟ ମ୍ୟାଚ୍ରେ ପରାଜିତ ହୋଇଥିଲା । ଲୟରେ ଥିବା ବୋଲରଙ୍କୁ ଉଚିତ ସମୟରେ ବୋଲିଂ ନ ଦେବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା ।
ମଙ୍ଗଳବାର ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଫାଷ୍ଟ ବୋଲର ଉମ୍ରାନ ମଲିକ ଓ ଅଲ୍ରାଉଣ୍ଡର ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଅଭେଶ ଖାନ ଓ ଅକ୍ଷର ପଟେଲ ଏକାଦଶରୁ ବାଦ ପଡ଼ି ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଭାରତ : ଇଶାନ କିଷନ, ଋତୁରାଜ ଗାଏକୱାଡ୍, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ/ଦୀପକ ହୁଡ଼ା, ହର୍ଷଲ ପଟେଲ, ଅଭେଶ ଖାନ/ଉମ୍ରାନ ମଲିକ, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ ।
ଦକ୍ଷିଣ ଆଫ୍ରିକା : ରିଜା ହେଣ୍ଡରିକ୍ସ, ତେମ୍ବା ବଭୁମା (ଅଧିନାୟକ), ରାଶି ଭାନ ଡର ଡୁସେନ, ଡେଭିଡ୍ ମିଲର, ହେନରିକ କ୍ଲାସେନ, ଡ୍ୱେନ ପ୍ରିଟୋରିୟସ, କାଗିସୋ ରାବାଡା, ଲୁଙ୍ଗି ଏନ୍ଗିଡ଼ି/ କେଶବ ମହାରାଜ, ଆନରିଚ ନର୍ଜ, ତାବ୍ରେଜ ସାମସି ।