Friday, March 29, 2024

Top 5 This Week

Related Posts

ଏଥର ଝଲସିବ ବାଲିଯାତ୍ରା : ଜାତୀୟ ଉତ୍ସବ ମାନ୍ୟତା ପାଇଁ କେନ୍ଦ୍ରକୁ ନିବେଦନ କରାଯିବ

ରିପୋର୍ଟ : ରାମନାଥ ଗନ୍ତାୟତ
କଟକ, (୧୪/୦୬) : କରୋନା ମହାମାରୀ ପାଇଁ ଗଲା ୨ ବର୍ଷ ହେବ ବନ୍ଦ ଥିବା କଟକ ର ଐତିହାସିକ ବାଲିଯାତ୍ରା ଏଥର ଅନୁଷ୍ଠିତ ହେବ ।

ବାଲିଯାତ୍ରାକୁ ୨୦୧୯ ରେ ରାଜ୍ୟ ଉତ୍ସବ ର ମାନ୍ୟତା ମିଳିଥିବା ବେଳେ ଏଥର ଏହାକୁ ଜାତୀୟ ଉତ୍ସବ ର ମାନ୍ୟତା ପ୍ରଦାନ ପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ବାରବାଟୀ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିବେଦନ କରିଛନ୍ତି । ବାଲିଯାତ୍ରାକୁ ଜାତୀୟ ଉତ୍ସବ ର ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କୁ ନିବେଦନ କରିବେ ବୋଲି ସମ୍ମିଳନୀ‌ରେ ସୂଚନା ଦେଇଛନ୍ତି ।

ବାଲିଯାତ୍ରା ର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ର ଅଧିକାରୀଙ୍କ ଉପସ୍ଥିତିରେ ପାର୍କିଂ ଠାରୁ ଜଳ, ଆଲୋକ, ପଡ଼ିଆର ଆକାର, ଗମନାଗମନ ଆଦି ବିଷୟ ଉପରେ ଏଥିରେ ଆଲୋଚନା ହୋଇଥିଲା । ୨୦୧୯ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିଯାତ୍ରା ପାଇଁ ମୋଟ ୯୦ ଲକ୍ଷ ଟଙ୍କା ମିଳିଥିଲା । ଚଳିତ ଥର ରାଜ୍ୟ ସରକାର ବାଲିଯାତ୍ରା ର ଆୟୋଜନ ପାଇଁ ଅଧିକ ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି ।

ମିସନ ଶକ୍ତି ଗ୍ରୁପ ତଥା ସ୍ୱୟଂ ସହାୟକ ଗୋ‌ଷ୍ଠୀଙ୍କୁ ଚଳିତ ବର୍ଷ ବାଲିଯାତ୍ରାରେ ଅଧିକ ପ୍ରାଧାନ୍ୟ ଦିଆଯିବ । ଏହା ମହିଳାଙ୍କ ଶକ୍ତି ପ୍ରଦର୍ଶନ ର ଏକ ସ୍ଥଳ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି । ବାଲିଯାତ୍ରା ର ପରିଚାଳନା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କରଙ୍କ ନେତୃତ୍ୱରେ ସିଏମ୍‌ସି ର ଓ ଜିଲ୍ଲା ପ୍ରଶାସନ ର ୭ ଜଣ ଅଧିକାରୀଙ୍କୁ ନେଇ ଏକ କୋର କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ଏଥିରେ ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭରେ କୋଭିଡ ମହାମାରୀରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଆଜିର ସମ୍ମିଳନୀରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡା‌ୟତରାୟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର (ରାଜସ୍ୱ), ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସିଏମ୍‌ସି ଡେପୁଟି କମିସନର ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ୱାଟ୍‌କୋ ଅଧିକାରୀ ଦେବବ୍ରତ ମହାନ୍ତି, ବିଭିନ୍ନ ବିଭାଗ ର ଇଞ୍ଜିନିୟର ପ୍ରଭାସ ମାଝୀ, ନବକିଶୋର ସାମଲ, ଦୀପକ ସାହୁ ଓ ଦିବ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମ ଥର ଆୟୋଜନ ହେବ କଟକ କାଇଟ୍‌ ଉତ୍ସବ

ଚଳିତ ବର୍ଷ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେଥି ମଧ୍ୟରେ ରଜ ପର୍ବ ଅବସରରେ ଜୁନ୍‌ ୧୪ ରୁ ୧୬ ତାରିଖ ମଧ୍ୟରେ ସହରରେ ପ୍ରଥମ କରି ‘କଟକ କାଇଟ୍‌ ଉତ୍ସବ ଆୟୋଜନ ହେଉଛି । ମିସନ ଶକ୍ତି ଓ ଓରମାସ୍‌ ସହଭାଗିତାରେ ବାରବାଟୀ ପ୍ୟାଲେସ ପରିସରରେ ୧୮ଟି ଷ୍ଟଲ ଲାଗିବ । ଏଠାରେ ମହିଳା ଗ୍ରୁପଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ପଦାର୍ଥ ବିକ୍ରି କ‌ରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Popular Articles