Friday, March 29, 2024

Top 5 This Week

Related Posts

ଦୁଗ୍ଧ ଚାଷୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା :୧ ଲକ୍ଷ ଚାଷୀ ପାଇଲେ ୧୧ କୋଟିର ସହାୟତା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୬/୦୮) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି ।

ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକ୍‌ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି । ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା – ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ । ମା ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍‌ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ । ତେଣୁ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ (Nutrition Level) ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି । ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।

୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଲେ ଯେ ଏହାର ପ୍ରୟୋଗ ଦ୍ବାରା ରାଜ୍ୟ ପ୍ରାଣୀ ସଂପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ୱିତ ହୋଇପାରିଛି ।

Popular Articles