Related Contents

କୋଚିଂ ସେଣ୍ଟରରେ ଭୟାଭୟ ଅଗ୍ନିକାଣ୍ଡ, ଝରକା ଡେଇଁ ୧୫ ଛାତ୍ରଛାତ୍ରୀ ମୃତ, ଅନେକ ଆହତ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪): ଆଜି ଗୁଜୁରାଟର ସୁରଟ ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ସମୟ ଧରି ନିଆଁ ଏବଂ ଧୁଆଁରେ ଅଣନିଃଶ୍ୱାସୀ ହୋଇ ୧୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବା ପାଇଁ ୪ ମହଲା ଛାତରୁ ଡେଇଁପଡି ଗୁରୁତର ଆହତ ହୋଇଛନ୍ତି ।

ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଏଠାରେ ଥିବା ତକ୍ଷଶୀଳା କମ୍ପେ୍ଲକ୍ସରେ ଚାଲିଥିବା ଏକ ଫେସନ ଡିଜାଇନିଂ ଷ୍ଟୁଡିଓ ଥିଲା ଓ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା ।

ଉପର ମହଲାରେ ନିଆଁ ଲାଗିବା ପରେ ପିଲାମାନେ ପ୍ରାଣ ବିକଳରେ ୪ମହଲା ଉପରେ ଥିବା ଝରକାରୁ ଡେଇଁ ପଡିଥିଲେ । ଏତେ ଉପରୁ ଡେଇଁବା ଫଳରେ କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପ୍ରାୟ ୧୫ଟି ଦମକଳ ଗାଡି ପହଞ୍ଚିବା ପରେ ମଧ୍ୟ ଏହି ଅଗ୍ନିକାଣ୍ଡରେ ବ୍ୟାପକ ଧନଜୀବନ ହାନୀ ଘଟିଛି । ଏହି କୋଚିଂ ସେଣ୍ଟରରେ ମୋଟ୍ ୫୦ଜଣ ଛାତ୍ରଛାତ୍ରୀ ଥିବା କୁହାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ କୋଚିଂ ସେଣ୍ଟରଟି ଫାଇବର ଗ୍ଲାସରେ ନିର୍ମିତ ହୋଇଥିବାରୁ ଅଗ୍ନିକାଣ୍ଡ ଉଗ୍ରରୂପ ନେଇଥିଲା ।

Comments are closed.