ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ

0
131
ସାମୁହିକ ଅଭ୍ୟାସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୬) : ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖ ରେ ଅନୁଷ୍ଠିତ ହେବ lWhatsApp Image 2022 06 11 at 11.38.44 AM 1 ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ

ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟି କୁ ବିପର୍ଯ୍ୟୟ ରୁ ରକ୍ଷା କରିବା ଏହାର ଲକ୍ଷ୍ୟ ଅଟେ l ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜର କର୍ତ୍ତବ୍ୟ ଅନୁପାଳନ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା ତଥା ସାଧାରଣ ଜନତା ଙ୍କୁ ସ୍ଥାନାନ୍ତରଣ, ଆଶ୍ରୟ ସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଏବଂ ପ୍ରାଥମିକ ଚିକିତ୍ସା ଆଦି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସର ମୂଳ ଉଦ୍ଦେଶ୍ୟ ଅଟେ l

ଜୁନ ମାସ ୧୯ ତାରିଖ ରେ ହେବାକୁ ଥିବା ସାମୁହିକ ଅଭ୍ୟାସ କୁ କିପରି ସୁଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ l

ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବ୍ଲକ ସ୍ତରୀୟ ଅଧିକାରୀ ବୃନ୍ଦ, ନୋଡାଲ ଏନ ଜି ଓ ବୃନ୍ଦ, ବନ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା କମିଟି ସଭାପତି ଓ ସମ୍ପାଦକ ବୃନ୍ଦ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରେଡ଼କ୍ରସ ର ଉପ ସଭାପତି, ଜିଲ୍ଲା ସଂଯୋଜକ, ୟୁଥ ରେଡ କ୍ରସ ମାନେ ଉପସ୍ଥିତ ଥିଲେ l ଜିଲ୍ଲାର ସମସ୍ତ ୬ (ଛଅ) ଟି ବନ୍ୟା ଆଶ୍ରୟ ସ୍ଥଳୀରେ ଏହି ସାମୁହିକ ଅଭ୍ୟାସ କରାଯିବ l

ଏହା ପୂର୍ବରୁ ଆସନ୍ତା ୧୮ ତାରିଖ ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଓ ଅପରାହ୍ନ ୪ ଘଣ୍ଟା ସମୟରେ ସମସ୍ତ ବ୍ଲକ ସଦର ମହକୁମାରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ l ବନ୍ୟା ର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କି କି ପଦକ୍ଷେପ ନେବେ ତାର ଏକ ପୂର୍ବାଭିନୟ କରାଯିବ l

ସମସ୍ତ ଅଧିକାରୀ ମାନେ ବନ୍ୟା ବିପର୍ଯ୍ୟୟ ର ସୁପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ସମୟରେ କଣ କଣ କାର୍ଯ୍ୟ କରିବେ ତାର ଏକ ପାୱାର ପଏଣ୍ଟ ଉପସ୍ଥାପନା କରାଯିବ l ୧୯ ତାରିଖ ରେ ସମସ୍ତ ୬ଟି ବନ୍ୟା ଆଶ୍ରୟ ସ୍ଥଳୀରେ ସାମୁହିକ ଅଭ୍ୟାସ କରାଯିବା ପୂର୍ବରୁ ପରିଚାଳନା କମିଟି ତା’ର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ପରିଚାଳନା କମିଟି ଏକ ବୈଠକ ମାଧ୍ୟମରେ ଟାସ୍କ ଫୋର୍ସ ଭଲ୍ୟୁଣ୍ଟର ଏବଂ ଅନ୍ୟାନ୍ୟ ସଦସ୍ୟ ଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହ ଓ ଏସ ଡି ଏମ ଏ ତରଫରୁ ଦିଆଯାଇଥିବା ସମସ୍ତ ଯନ୍ତପାତି ବା ଉପକରଣ ଗୁଡିକର ଯାଞ୍ଚ କରାଇବାକୁ କୁହାଯାଇଥିଲା l

ଉଭୟ ଟେବୁଲ ଟପ ଏକ୍ସରସାଇଜ ଓ ମକଡ୍ରିଲ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲା ସ୍ତର ର ଅଧିକାରୀଙ୍କୁ ଚୟନ କରାଯାଇଥିଲା l ସାମୁହିକ ଅଭ୍ୟାସ ବା ମକଡ୍ରିଲ ର ସଫଳ ପରିଚାଳନା ପାଇଁ ସମସ୍ତେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ ।