ଶୀତଳଷଷ୍ଠୀ ଯାତ୍ରା ରେ ମହାଦେବଙ୍କ ବିବାହ : ବରାତ ଶୋଭାଯାତ୍ରାରେ ଦୁଲକିଲା ବିନିକା ସହର

0
196
ଶୀତଳଷଷ୍ଠୀ ଯାତ୍ରା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୫/୬) : ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ର ପର୍ବ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ସାରା ବିନିକା ସହର ଉତ୍ସବ ମୁଖର ହୋଇଉଠିଥିଲା ।

ଏଠାରେ ଶୀତଳଷଷ୍ଠୀ ଯାତ୍ରା ଏଥର ପଞ୍ଚମ ବର୍ଷରେ ପଦାର୍ପଣ କରିଥିବା ବେଳେ । ଚଳିତ ବର୍ଷ ବିନିକା ଶୀତଳଷଷ୍ଠୀ ଯାତ୍ରା ତଥା ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଧୂମଧାମରେ ପାଳିତ ହୋଉଛି । ପତରପେଣ୍ଡୀ ବା ନିର୍ବନ୍ଧ ଓ ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ ପରେ ଗତକାଲି ରାତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି । ଏଥିପାଇଁ ଯାତ୍ରା କମିଟି ତରଫରୁ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ନେତୃତ୍ୱରେ କମିଟି କର୍ମକର୍ତ୍ତା ଓ ଭକ୍ତମାନେ ମହାଦେବଙ୍କୁ ବର ବେଶରେ ସଜାଇଥିଲେ । ପରେ ବରାତ ଶୋଭାଯାତ୍ରାରେ ମହାଦେବ ବିଜେ କରିଥିଲେ ।

ଏହି ଶୋଭାଯାତ୍ରାରେ କାଲିଆମୁଣ୍ଡା ର ଦୁଲଦୁଲି, ବଡ଼ମାଳ ର ବାଡିଖେଳ, କପାସିରାର ସୁରସାଗ ର ଦଣ୍ଡନୃତ୍ୟ, ବିନିକା ର ଇନ୍ଦ୍ରଜିତ ଡିଜେ, କୀର୍ତ୍ତନ, ଚରଦା ର ଶଙ୍ଖ, ସମ୍ବଲପୁର ର ବାଇନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତଙ୍କ ଜୟ ଜୟ ଧ୍ୱନିରେ ସାରା ସହର ଦୁଲୁକି ଉଠିଥିଲା । ପ୍ରଭୁଙ୍କୁ ସହର ପରିକ୍ରମା ବେଳେ ରାସ୍ତା ର ଉଭୟ ପାର୍ଶ୍ୱ ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ସ୍ଥାନୀୟ ନୀଳକଣ୍ଠ ନଗର ସ୍ଥିତ ସିତେଲେଇ ମନ୍ଦିରକୁ ବରାତ ପହଞ୍ଚିବା ପରେ ସେଠାରେ କନ୍ୟାପକ୍ଷ ତରଫରୁ ମଙ୍ଗଳନ, ଅଲଙ୍କାର ଧାରଣ କରାଯିବା ପରେ ବର ନିମନ୍ତ୍ରଣ କରାଯାଇଥିଲା । ବିଳମ୍ବିତ ରାତ୍ରୀରେ ପୂଜକ ଉମାବଲ୍ଲଭ ଷଡ଼ଙ୍ଗୀଙ୍କ ଯଥାରୀତି ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ପରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଥିଲା ।

ଦେବ ବିବାହକୁ ଦେଖିବା ପାଇଁ ରାତିତମାମ ଭକ୍ତ ମାନଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା । ପ୍ରଭୁ ଶିବଙ୍କ ପିତା ମାତା ଭାବେ ବିକାଶ ମହାନ୍ତି ଓ ଧର୍ମପତ୍ନୀ ଦିପାସିଖା ମହାପାତ୍ର, ମାମୁଁ ମାଇଁ ଭାବେ ଦିପୁନ ମହାପାତ୍ର ଓ ସଙ୍ଗୀତା ମହାପାତ୍ର, ପାର୍ବତୀଙ୍କ ପିତାମାତା ଭାବେ ଅଜିତ ଦାସ ଓ ଧର୍ମପତ୍ନୀ ମମତା ଦାସ, ମାମୁଁ ମାଇଁ ଭାବେ ସନ୍ତୋଷ ଦାସ ଓ ପୂଜା ଦାସ ଦାୟିତ୍ଵ ତୁଲାଇଥିଲେ । ଆଜି ଦେବ ଦମ୍ପତି ଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଧୁମଧାମ ରେ ପାଳିତ ହୋଇଯାଇଛି ।

ଏହି ଶୀତଲଷଷ୍ଠୀ ମହୋତ୍ସବ ରେ କମିଟି କାର୍ଯ୍ୟକାରୀ ସଭାପତି ଅଜିତ ସାମନ୍ତରା, ଉପସଭାପତି ସନ୍ତୋଷ ମହାକୁର, ସମ୍ପାଦକ ମାନଗୋବିନ୍ଦ ମେହେର, ସହ ସମ୍ପାଦକ ସମ୍ବିତ ନେପାକ ସମେତ ସମସ୍ତ ସଦସ୍ୟ ଓ ବିନିକା ବାସୀ ସହଯୋଗ କରିଥିଲେ ।