ମାଓ ଉପଦ୍ରୁତ ଅଂଚଳରେ ବଂଚିବା ପାଇଁ ଆମ୍ବୁଲ ହିଁ ଏକମାତ୍ର ସାହାରା

ପଡିଆ,ମାଲକାନଗିରି(ନୟମି ଖରା): ମାଓ ଉପଦ୍ରୁତ ମାଲକାନଗିରି ଜ଼ିଲ୍ଲାର ପଡିଆ ବ୍ଲକର ସମସ୍ତ ଗ୍ରାମାଞ୍ଚଳର ଜନସାଧାରଣ ନିଜର ରୋଜଗାରର ପନ୍ଥା ପାଇଁ ଆମ୍ବୁଲ ତିଆରି କରିବାରେ ବ୍ୟସ୍ତ | ପ୍ରକୃତି ପ୍ରଦତ୍ତ ଫଳ ଫୁଲ ଯଥା ମହୁଲ ଟୋଲ କାଜୁ କେନ୍ଦୁପତ୍ର ସମୟ ଅନୁଶାରେ ସଂଗ୍ରହ କରି ଦୁଇ ପଇସା ରୋଜଗାର କରି ଆଦାୟ କରନ୍ତି |

ଠିକ ସେହିପରି ଏହି ଗ୍ରୀଷ୍ମ ସମୟ ରେ ଜଙ୍ଗଲରୁ ଆମ୍ବ ଆଦାୟ କାରି ସେଥିରୁ ଆମ୍ବୁଲ ପ୍ରସ୍ତୁତ କରି ବଜ଼ାରରେ ବିକ୍ରି କରି ଆର୍ଥିକ ସ୍ଥିତିକୁ ସୁଦୃଢ କରନ୍ତି | ଗ୍ରାମାଞ୍ଚଳ ରେ ବସବାସ କରୁଥିବା ବହୁ ପରିବାର ବହୁ ଭୋରରୁ ଆମ୍ବତୋଟା ଓ ଜଙ୍ଗଲକୁ ଯାଇ କଞ୍ଚା ଆମ୍ବ ସଂଗ୍ରହ କରି ଘରକୁ ଫେରିବା ପରେ ସଂଗ୍ରହ କରିଥିବା ଆମ୍ବକୁ ଛଞ୍ଚି ଚୋପା ବାହାର କରି ଆମ୍ବକୁ ଦୁଇ ଫାଳ କରି ଆମ୍ବୁଲ ତିଆରି କରି ତାହାକୁ ଶୁଖିବା ପର୍ଯ୍ୟନ୍ତ ତାହାକୁ ଖରାରେ ଶୁଖାଇ ଥାନ୍ତି କିନ୍ତୁ ବିକ୍ରି ନିମନ୍ତେ ବଜ଼ାର ବ୍ୟବସ୍ଥା ନ ଥିବାରୁ ଲୋକେ ବାଧ୍ୟ ହୋଇ ଦଲାଲ ପାଖରେ ବିକ୍ରି କରିଥାନ୍ତି | ବ୍ୟବସାୟୀ ମାନେ ଆଦିବାସୀଙ୍କ ଠାରୁ କମ ଦାମରେ କିଣି ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡରେ ଚଢା ଦରରେ ବିକ୍ରି କରିଥାନ୍ତି | ସରକାରଙ୍କ ପକ୍ଷରୁ ଆମ୍ବୁଲ ରଖିବା ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଆମ୍ବୁଲକୁ କମ ଦରରେ ବିକ୍ରି କରିଥାନ୍ତି କିନ୍ତୁ ଦଲାଲ ମାନେ ଏହାକୁ କିଣି ଉଚ୍ଚା ଦରରେ ବିକ୍ରି କରି ମଲା ମାଲ ହୋଇଥାନ୍ତି | ଆଦିବାସିଙ୍କ ସଂଗ୍ରହ କରୁଥିବା ବନ୍ୟ ଜାତ ପଦାର୍ଥର ବିକ୍ରି ନିମନ୍ତେ ସ୍ୱତନ୍ତ୍ର ହାଟର ବ୍ୟବସ୍ଥା ନିମନ୍ତେ ଜନସାଧାରଣ ଦାବି କରୁଛନ୍ତି |

Comments are closed.