ନବରଙ୍ଗପୁର ଜିଲ୍ଲାରେ ‘ସହାୟ’ ଯୋଜନା ବିଫଳ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ.ସତୀଶ): ରାଜ୍ୟ ସରକାର ରାଜ୍ୟରେ କିଡନି ରୋଗୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ସହ ମାଗଣାରେ ଡାଇଲିସିସର ସୁବିଧା ଯୋଗାଇ ଦେବା ନିମନ୍ତେ ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ରାଜ୍ୟ ସରକାର “ସହାୟ” ଯୋଜନା ଶୁଭାରମ୍ବ କରିଥିଲେ ।

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଳିତବର୍ଷ ଜାନୁଆରି ୧୭ରେ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ଏହି ଯୋଜନାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ କିଡନୀ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଓ ମାଗଣା ଡାଇଲିସିସ ସୁବିଧା ଯୋଗାଇ ଦେବା ନେଇ ଯେଉଁ ଲକ୍ଷ୍ୟ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଜିଲ୍ଲାରେ ଶୁଭାରମ୍ଭର ୧୫ ଦିନ ହିଁ କିଡନି ରୋଗୀ ମାନେ ଏହି “ସହାୟ” ମାଗଣା ସେବା ପାଇଁ ଥିଲେ । ଜିଲ୍ଲାରେ କିଡନି ରୋଗୀଙ୍କୁ ଡାଇଲିସିସ ସେବା ଯୋଗାଇ ଦେବା ନିମନ୍ତେ ରାହି କେୟାର ନାମକ ସଂସ୍ଥା ଯେଉଁ ତାଲିମପ୍ରାପ୍ତ ଡାକ୍ତରଙ୍କୁ ନିର୍ଯୁକ୍ତି ଦିଆଯାଇଥିଲା ସେ ୧୫ ଦିନ ପରେ ଅନ୍ୟତ୍ର ଚାଲି ଯାଇଥିଲେ । ଏହାଦ୍ୱାରା କିଡନି ରୋଗୀ ମାନେ ମାଗଣା ସ୍ୱାସ୍ଥସେବା ପାଇବାରୁ ବଞ୍ଚିତ ହୋଇଥିଲେ । ମୁଖ୍ୟ ଚିକିତ୍ସାଳୟରେ ସବୁ ପ୍ରକାର ଭିତ୍ତି ଭୁମି ଥିବା ସ୍ୱତଃ ତାଲିମପ୍ରାପ୍ତ ଡାକ୍ତର ଅଭାବ ଯୋଗୁଁ ସହାୟ ଯୋଜନାରେ କିଡନି ରୋଗୀମାନେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ମୁଖ୍ୟ ଚିକିତ୍ସାଳୟରେ ସହାୟ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ କିଡନି ରୋଗୀ ମାନେ ପଡୋଶୀ ରାଜ୍ୟ ଛତିଶଗଡ଼ କିମ୍ବା ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି ।

ଏହାଦ୍ୱାରା ମୁଖ୍ୟତଃ ଗରିବ ରୋଗୀ ବହୁ ଖର୍ଚ୍ଚ।ନ୍ତ ହେଉଥିବା ଦେଖା ଯାଉଛି । ନବରଙ୍ଗପୁର ସହରର ଦୁଇ ଜଣ କିଡନି ରୋଗୀ ସପ୍ତାହରେ ତିନି ରୁ ଚାରି ଦିନ ଡାଇଲିସିସ ପାଇଁ ପଡୋଶୀ ଜିଲ୍ଲାରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟ ଚିକିତ୍ସାଳୟରେ ତାଲିମ ପ୍ରାପ୍ତ ସ୍ଥାୟୀ ଡକ୍ଟର ନିଯୁକ୍ତି ପ୍ରତି ପ୍ରଶାସନ ଦୃଷ୍ଟି ଦେଇଥାନ୍ତେ ତାହା ହେଲେ ନିଜ ଜିଲ୍ଲାର କିଡନି ରୋଗୀ ମାନେ ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟ ଯାଇ ଚିକିତ୍ସା ପାଇଁ ଖର୍ଚ୍ଚ।ନ୍ତ ହୋଇନଥାନ୍ତେ । ସହାୟ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ କୋରାପୁଟ ମେଡିକାଲ କଲେଜରୁ ଜଣେ ଭେଷଜ ବିଶେଷଜ୍ଞଙ୍କୁ ୨ଦିନ ନିୟୋଜିତ କରିବା ନିମନ୍ତେ ମୁଖ୍ୟ ଚିକିତ୍ସା ଅଧିକାରୀ ଚିଠି କରିଥିବା ଜଣାପଡ଼ିଛି । “ସହାୟ” ଯୋଜନାରେ ଜିଲ୍ଲାର କିଡନି ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Comments are closed.