ଏପଟେ ସାଇକେଲକୁ ନେଇ ସଚେତନତା ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍

0
133
ଏପଟେ ସାଇକେଲକୁ ନେଇ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୪/୦୬) : ବିଶ୍ୱ ସାଇକେଲ୍‌ ଦିବସ ଅବସରରେ ସଚେତନତା ବାର୍ତ୍ତା ଦେବାକୁ ରାଜ୍ୟ ର ବିଭିନ୍ନ ସହରରେ ଆଜି ଦେଖିବାକୁ ମିଳିଥିଲା ସାଇକେଲ୍ ରାଲି । ହେଲେ ଏପଟେ ସାଇକେଲକୁ ନେଇ ସଚେତନତା ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍ ।

ଭୁବନେଶ୍ୱରରେ ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଆୟୋଜିତ ସାଇକ୍ଲୋଥନ୍‌ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲା । ସିନେ ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ହକି ତାରକା ଦିଲ୍ଲୀପ ତିର୍କୀ ପ୍ରମୁଖ କିଟ୍ ବିଶ୍ୱ ବିଦ୍ୟାଳୟ ନିକଟରୁ ରାଲିରେ ବାହାରି ଶିଶୁଭବନ ଛକ ଯାଏଁ ଯାଇଥିଲେ । ହେଲେ ଏପଟେ ସାଇକେଲକୁ ନେଇ ସଚେତନତା ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍ ।

ସେହିପରି ରାଉରକେଲାରେ ଆୟୋଜିତ ସାଇକେଲ ରାଲିରେ ସୁନ୍ଦରଗଡ଼ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ପାନପୋଷ ଉପ-ଜିଲ୍ଲାପାଳଙ୍କ ସମେତ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାଲେଶ୍ୱରରେ ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ସାଇକେଲ୍‌ ରାଲି ର ଆୟୋଜନ କରାଯିବା ସହ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ର କୁପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ସରକାରୀ ସ୍ତରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସ୍ୱାଗତଯୋଗ୍ୟ । ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍‌ ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ସାଇକେଲ ପ୍ରତି ଆଗ୍ରହ ସୃଷ୍ଟି ସାଙ୍ଗକୁ ରାଜଧାନୀରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ସାଇକେଲ୍‌’ ଯୋଜନା ।

ହେଲେ ଏବେ ରାସ୍ତାକଡ଼ରେ ବିପର୍ଯ୍ୟସ୍ତ ଅବସ୍ଥା ଗଣ୍ଡା ଗଣ୍ଡା ଦାମିକା ସାଇକେଲ ପଡି ରହିଥିବା ଦେଖାଯାଏ । କାହାର ଟାୟାର ଫାଟି ଯାଇଛି, ତ କାହାର ସିଟ୍ ନାହିଁ । ଆଉ କାହାକୁ ଜଙ୍କ୍ ଖାଇ ଗଲାଣି । କେତେକର ଅବସ୍ଥା ଏମିତି ଯେ ସେସବୁ ଚାଲିବା ସ୍ଥିତିରେ ନାହାଁନ୍ତି । ଆଉ କିଛି ସ୍ଥାନରେ ଷ୍ଟାଣ୍ଡ୍‌ ଅଛି ହେଲେ ସାଇକେଲ୍ ଗାୟବ । କିଏ ନେଇଛି, କେଉଁଠି ଅଛି ତା’ର ହିସାବ ନାହିଁ ।

ତେଣେ ସାଇକେଲ୍‌ ପାଇଁ ସରକାର ସ୍ୱତନ୍ତ୍ର ଟ୍ରାକ୍ ବି ନିର୍ମାଣ କରିଥିଲେ । ତେବେ ଏଥିରୁ ରଙ୍ଗ ଉଡିଯାଇଥିବା ବେଳେ ଟ୍ରାକ୍‌ଚ୍ୟୁତ ହୋଇଯାଇଛି ମୋ ସାଇକେଲ୍ ଯୋଜନା । କେବଳ ମୋ ସାଇକେଲ ଯୋଜନା ନୁହେଁ, ଭୁବନେଶ୍ୱରରେ ଆୟୋଜିତ ରାହାଗିରି କାର୍ଯ୍ୟକ୍ରମ ପାଇଁ ବି ଶହ ଶହ ସାଇକେଲ୍ କିଣାଯାଇଥିଲା, ଯାହା ବର୍ତ୍ତମାନ ବିଏମ୍‌ସି ଅଫିସରେ ପଡ଼ି ଖତ ଖାଉଛି ।

ତେଣେ ଭୁବନେଶ୍ୱର ମେୟର ସଫେଇ ଦେଇ କହିଛନ୍ତି କରୋନା ପାଇଁ ରାହାଗିରି କାର୍ଯ୍ୟକ୍ରମ ବନ୍ଦ ଥିଲା । ଆଗାମୀ ଦିନରେ ଏହାକୁ ପୁଣି ଥରେ ଆରମ୍ଭ କରାଯିବ । ସେହିପରି ବିଏମ୍‌ସି ଅଧିକାରୀମାନେ ପ୍ରତି ଶୁକ୍ରବାର ସାଇକେଲ୍‌ରେ ଅଫିସ ଆସିବା ନିୟମ ମଧ୍ୟ ଖୁବ ଶୀଘ୍ର ଲାଗୁ ହେବ ବୋଲି ସେ କହିଛନ୍ତି ।