ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୫) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଦେଶୀ ମଦ ଦୋକାନ ରେ ହୋଇଥିବା ଚୋରୀ ଘଟଣାର ଫର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ।
ସୂଚନା ଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରୀ ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ ପରେ ତରଭା ପୁଲିସ ସହିତ ଜିଲ୍ଲା ପୁଲିସ ଏହି ଘଟଣାର ଅନୁସନ୍ଧାନ କରି ଏକ ଆନ୍ତଃରାଜ୍ୟ ଚୋରୀ ରାକେଟ ର ଫର୍ଦ୍ଦାଫାସ କରିଛି ।
ଏହି ରାକେଟ ଓଡିଶା ର ବିଭିନ୍ନ ଜିଲ୍ଲାର ମଦ ଦୋକାନରୁ ଚୋରୀ କରି ଅନ୍ୟତ୍ର ବିକ୍ରି କରୁଥିବା ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟିଏ ବଲେରୋ ପିକଅପ ଗାଡି, ୧୩୪ କାର୍ଟୁନ ମଦ, ଗୋଟିଏ ଗ୍ୟାସ କଟର ଓ ଚୋରୀରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।
ଅଭିଯୁକ୍ତ ଦୁଇଜଣ ହେଲେ ଅନୁଗୁଳ ଜିଲ୍ଲା ନୂଆଖଟା ଗାଁ ର ୨୧ ବର୍ଷିୟ ଆଶିଷ ଖିଲାର ଓ କଟକ ଜିଲ୍ଲା ଗୋଡିଜିହାରିଆ ଗାଁ ର ୫୧ ବର୍ଷିୟ ଭୋଳେଶ୍ଵର ସାହୁ ବୋଲି ପୁଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ପୁଲିସ କହିଥିବା ବେଳେ ତାଙ୍କୁ ମଧ୍ୟ ଖୋଜା ଚାଲିଛି । ଏ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା l ଏହି ସାମ୍ବାଦିକ ସମ୍ବିଳନୀରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଉପସ୍ଥିତ ଥିଲେ l