ଆଜି ସାବିତ୍ରୀ ଓଷା : ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି ପତ୍ନୀ, ମନ୍ଦିରରେ ବ୍ରତ ପୂଜା ପାଇଁ ଗହଳି

0
131
ଆଜି ସାବିତ୍ରୀ ଓଷା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୩୦/୦୫) : ଆଜି ସାବିତ୍ରୀ ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି ।

ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜା ର ଆରାଧ୍ୟା ଦେବୀ ହେଉଛନ୍ତି ମାଁ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମାଁ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ସ୍ୱାମୀ ର ଲମ୍ବା ଆୟୁଷ କାମନା କରି ଓଷା କରୁଛନ୍ତି ସାବିତ୍ରୀ । ଆଜି ସାବିତ୍ରୀ ଓଷା ପାଇଁ ପ୍ରତ୍ୟେକ ମନ୍ଦିରରେ ବ୍ରତ ପୂଜା ପାଇଁ ମହିଳାଙ୍କ ଗହଳି ଲାଗିଛି । କେହି କେହି ଘରକୁ ବ୍ରାହ୍ମଣଙ୍କୁ ଡାକି ପୂଜାର୍ଚ୍ଚନା କରୁଛନ୍ତି ।

ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାନ୍ତି । ସେଥିପାଇଁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ଅପେକ୍ଷା କରିଥାନ୍ତି । କରୋନା ପାଇଁ ବ୍ରତାଧିକାରୀମାନଙ୍କୁ ୨ ବର୍ଷ ହେବ ମନ୍ଦିର ମନାଥିଲା । ଘରେ ପୂଜାର୍ଚ୍ଚନା କରୁଥିଲେ ସାବିତ୍ରୀ । ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ମହିଳାମାନେ ଯାଇ ପୂଜାର୍ଚ୍ଚନା କରିଛନ୍ତି ।