Related Contents

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ-ଫନି ବାତ୍ୟା ବିପର୍ଯ୍ୟୟ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ୨୪): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାୟୁସେନା ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ‘ଫୋନି’ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖି ଦେଖିଥିଲେ ।

ଏହାପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରାଯାଇଥିଲା । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫୋନି’ କ୍ଷୟକ୍ଷତିରେ ଓଡ଼ିଶା ପାଇଁ ଆଉ ୧୦୦୦ କୋଟି ଟଙ୍କାର ସହାୟତା ମଞ୍ଜୁର ପାଇଁ ଘୋଷଣା କରିଥିଲେ । ଏହା ପୂର୍ବରୁ ‘ଫୋନି’କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ଆଗୁଆ ୩୪୧କୋଟି ଟଙ୍କା ପ୍ରଦାନ କରିଥିଲେ । ଏହା ସହିତ ବାତ୍ୟା ଯୋଗୁ ପ୍ରାଣ ହରାଇଥିବା ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ଯେତେ ଶୀଘ୍ର ସମ୍ଭବ ବିଦ୍ୟୁତ୍ ଓ ଜଳ ଯୋଗାଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ମୋବାଇଲ୍‌ ସେବା ଯୋଗାଇ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରି କହିଛନ୍ତି ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।

ଅର୍ଥ, ଲୋକବଳ କିମ୍ବା ମେସିନ୍‌ର କୌଣସି ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତା’ସହିତ ‘ଫୋନି’କୁ ଦୃଷ୍ଟିରେ ରଖି ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ‘ଫୋନି’ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖି ଦେଖୁଥିବା ସମୟରେ ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

Comments are closed.