Related Contents

ରକ୍ତହୀନତାରେ ପୀଡିତା ଗର୍ଭବତୀ, ଚିକିତ୍ସା ପାଇଁ ଅର୍ଥ ବାଧକ

ଝରୀଗାଁ (ତ୍ରିନାଥ ଧୁରୁଆ): ଗ୍ରାମାଞ୍ଚଳରେ ମା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ବିକାଶ ଏବଂ ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଛନ୍ତି କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଶାନୁରୂପ ବିକାଶ ହୋଇ ପାରୁନାହିଁ । ପୃଷ୍ଟି ହୀନତା ରୋକିବା ପାଇଁ ସୁଷମ ଖାଦ୍ୟର ମଧ୍ୟ ଵ୍ୟଵସ୍ଥା ରହିଛି । ତଥାପି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଗର୍ଭବତୀ ରକ୍ତହୀନତାର ଶିକାର ହେବାର ଦେଖିବାକୁ ମିଳୁଛି |

ଏହିପରି ଗରିବରେ ଛଟପଟ ହେଉଥିବା ରକ୍ତହୀନତା ଗର୍ଭବତୀ ମହିଳା ଦେଖିବାକୁ ମିଳିଛି ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର କଲେଗାଁ ସବସେଣ୍ଟର ଅଧୀନରେ ଥିବା ଧାରିଣୀବେଡା ଗ୍ରାମରେ । ଧାରିଣୀ ବେଡ଼ା ଗ୍ରାମରେ ରହୁଛନ୍ତି ଶାନ୍ତଜାନୀ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ କାନ୍ତିଜାନୀ ।ବର୍ତ୍ତମାନ କାନ୍ତି ଜାନୀ ଗର୍ଭବତୀ ଅବସ୍ଥାରେ ଅଛନ୍ତି ଓ ଆଉ କେତେ ଦିନ ପରେ ପ୍ରସୂତୀ ତାରିଖ ରହିଛି । ହେଲେ କାନ୍ତି ଜାନି ଏବେ ରକ୍ତହୀନତାରେ ପୀଡିତା । ସୂଚନା ମୁତାବକ କାନ୍ତିଜାନୀ ଦୀର୍ଘ ଦିନ ହେବ ଗର୍ଭଧାରଣ କରିଥିଲେ ଏବଂ ଏଏନଏମଙ୍କ ଠାରୁ ଔଷଧ ମଧ୍ୟ ଖାଉଥିଲେ କିନ୍ତୁ କାନ୍ତିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ହେତୁ ତାଙ୍କୁ ୨୦.୦୯.୨୦୧୮ରେ ରେଡ଼କାର୍ଡ ମଧ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ କାନ୍ତିର ହାତ ଗୋଡ଼ ଫୁଲିଯିବାରୁ ଝରିଗାଁ ମା ଘରେ ଆଣିଥିଲେ ଏବଂ ପ୍ରଥମେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଡକ୍ଟର ରକ୍ତହୀନତା ଥିବା ସନ୍ଧେହ କରି ଉମରକୋଟ ଯିବା ପାଇଁ ପରାମର୍ଶ ଦେଇଥିଲେ ।ତେବେ ଶାନ୍ତ ପଇସା ପତ୍ର ଯୋଗାଡ କରି ଉମରକୋଟ ନେଇଥିଲେ ଏବଂ ରକ୍ତ ପରୀକ୍ଷା ସହ ଚିକିତ୍ସା କରାଇଥିଲେ । କାନ୍ତି ରକ୍ତହୀନତାରେ ପୀଡ଼ିତ ଥିବାରୁ ଡକ୍ଟର ନବରଙ୍ଗପୁର ନେବାକୁ ପରାମର୍ଶ ଦେଇଥିଲେ । ତେବେ ଶାନ୍ତ ପାଖରେ ପଇସା ନ ଥିବାରୁ ଉମରକୋଟରୁ ଝରିଗାଁ ମା ଘରକୁ ଫେରିଆସିଥିଲେ ।

ଉମରକୋଟରୁ ଫେରି ଗୋଟିଏ ଦିନ ମା ଘରେ ରହିଲା ପରେ କାନ୍ତି ନିଜ ଘର ଧାରିଣୀବେଡ଼ାକୁ ଯାଇଛନ୍ତି । ତେବେ ସ୍ୱାମୀ ଶାନ୍ତ କହିଛନ୍ତି ଯେ ଯେତିକି ଧାର ଉଧାର କରିଥିଲେ ଉମରକୋଟ ଚିକିତ୍ସା ବେଳେ ଖର୍ଚ୍ଚ ହୋଇ ଯାଇଥିବାରୁ ବର୍ତ୍ତମାନ ତାଙ୍କ ପାଖରେ ପଇସା ପତ୍ର ନଥିବା ଯୋଗୁଁ ନବରଙ୍ଗପୁର ନେଇ ପାରୁନାହାନ୍ତି । ତେବେ ଗର୍ଭବତୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଦେବା ପାଇଁ ସରକାର ଯୋଜନା କରିଥିଲେ ମଧ୍ୟ ସଠିକ ସ୍ୱାସ୍ଥ୍ୟ ସେବା ନପାଇ ଘରକୁ ଯାଇଛନ୍ତି ଗର୍ଭବତୀ ମହିଳା । ଅନ୍ୟ ପକ୍ଷରେ କାନ୍ତି ଯାଇ କି ଆଜକୁ ୩ଦିନ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନାହାନ୍ତି । ତେବେ ଉକ୍ତ ପରିବାର ଗରିବରେ ଛଟପଟ ହେଉଥିବାରୁ ପ୍ରଶାସନ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.