ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୧୯ ପାଳିତ

ସାଲେଭଟା(ମାଧବ ସାହୁ): ଗତ ତା.୦୧.୦୫.୨୦୧୯ ରିଖ ବୁଧବାର ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୧୯ ପାଳିତ ହୋଇଯାଇଛି | ବିଦ୍ୟାଳୟଟି ୧୮୭୦ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଦୀର୍ଘ ୧୪୯ବର୍ଷ ପରେ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଥିବାରୁ ଏହା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ |

ଆଜିକାର ଉତ୍ସବକୁ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ | ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଯୋଶୀ ମୁଖ୍ୟ ବକ୍ତା, ଦେଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭାଗ୍ୟବତୀ ଦାସ ସମ୍ମାନିତ ଅତିଥି, ନୂଆ ଝରନ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ତେଜରୁ ବାରିକ, ଗଣିତ ଆଦର୍ଶ ଶିକ୍ଷକ ତୋରା ଉଚ୍ଚ ବିଦ୍ୟାଳୟର ଶ୍ରୀ ବାସୁଦେବ ବାରିକ ପ୍ରମୁଖ ମଂଚାସୀନ ଥିଲେ | ପ୍ରାଥମିକ ଶିକ୍ଷାର ବିକାଶ ତଥା ବିଦ୍ୟାର୍ଥୀଙ୍କ ସୃଜନଶୀଳତା ଦିଗରେ ଅଭିବୃଦ୍ଧି ନିମନ୍ତେ ବିଦ୍ୟାଳୟ ସ୍ତରରେ ବାର୍ଷିକ ଉତ୍ସବର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ |

ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ ଧରିତ୍ରୀ ସାହୁ ଅତିଥି ପରିଚୟ କରାଇଥିଲେ | ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁନ୍ତୀ ପଧାନ ସଭାପତିତ୍ୱ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ | ନୃତ୍ୟଗୁରୁ ଶ୍ରୀ ସୁଦାମ ମେହେରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା | ବିଭିନ୍ନ ପ୍ରତିଯୋଗିତାର ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା | ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଗୁରବାରି ପ୍ରଧାନ ଓ ଶିକ୍ଷକ ଗୋବିନ୍ଦ ଭୋଇ ପରିଚାଳନା କରିଥିଲେ| ସଭା ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସଂଗୀତ ମିଶ୍ର ଶିକ୍ଷକ ଗୋବିନ୍ଦ ସାହୁ ପରିଚାଳନା କରିଥିଲେ |

ବାର୍ଷିକ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ସାଲେଭଟା କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ | ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ପଶାୟତ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.