ଉଲ୍ଳେ ରାମଲୀଳା ଉଦଯାପିତ-ବିନିକା

ବିନିକା(ଧ୍ରୁବରାଜ ମିଶ୍ର): ବିନିକା ଏନଏସି ଅଧିନସ୍ଥ ୧୦ନ ୱାର୍ଡ ଉଲ୍ଳେ ଗ୍ରାମର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ରାମଲୀଳା ଯାତ୍ରା ବେଶ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଗତକାଲି ରାତିରେ ସମାପ୍ତ ହୋଇଛି |

ଏହି ରାମଲୀଳାର ବିଭିନ୍ନ ଦିବସରେ ରାମ ଜନ୍ମ ଠାରୁ ଆରମ୍ଭ ହୋଇ ରାବଣ ବଧ ଓ ଶେଷରେ ରାମଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ହୋଇଥିଲା | ଅନ୍ତିମ ଦିବସରେ ଲକ୍ଷ୍ମଣ ଦ୍ୱାରା ଇନ୍ଦ୍ରଜିତ ବଧ ଖବର ଶୁଣିବା ପରେ ରାବଣ କ୍ରୋଧରେ ଜର୍ଜରିତ ହୋଇ ସୀତା ଯୋଗୁଁ ଏପରି ଘଟଣା ଘଟୁଛି ଭାବି ସୀତାଙ୍କୁ ବଧ କରିବା ପାଇଁ ଅଶୋକ ବଣକୁ ଯାଉଥିବା ବେଳେ ଲଙ୍କାର ପାଟରାଣୀ ମନ୍ଦୋଦରୀ ବାଧା ଦେଇଥିଲା |ପରେ ରାବଣ ଯୁଦ୍ଦକ୍ଷେତ୍ରକୁ ଆସି ରାମ ଓ ଲକ୍ଷ୍ମଣଙ୍କ ସହିତ ଯୁଦ୍ଧ କରିଥିଲା | ଘମାଘୋଟ ଯୁଦ୍ଧ ପରେ ପ୍ରଭୁ ରାମଙ୍କ ଦ୍ୱାରା ରାବଣ ବଧ ହୋଇଥିଲା | ବିଭୀଷଣକୁ ଲଙ୍କା ଗଡର ରାଜା କରାଇବା ପରେ ରାମ ଲକ୍ଷ୍ମଣ ସୀତାଙ୍କ ସହ ହନୁମାନ ଓ ବାନର କୁଳ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ସାରା ଅଯୋଧ୍ୟା ନଗରବାସୀ ରାମ,ଲକ୍ଷ୍ମଣ ଓ ସୀତାଙ୍କୁ ସମ୍ମାନ ସହ ପାଛୋଟି ଆଣିଥିଲେ |

ସମସ୍ତଙ୍କ ସହ ଭେଟ ହେବା ପରେ ଅଯୋଧ୍ୟାରେ ରାମଙ୍କ ରାଜ୍ୟାଭିଷେକ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାପନ ହୋଇଥିଲା | ତତ୍ପରେ ଶବର ଓ ଶବରୀଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀ ପ୍ରଭୁ ରାମଚନ୍ଦ୍ର ଓ ସୀତାଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ | ଏହି ରାମଲୀଳା ଯାତ୍ରାରେ ରାମ ଭୂମିକାରେ ବନ ମିଶ୍ର, ଲକ୍ଷ୍ମଣ ଭୂମିକାରେ ସୂର୍ଯ୍ୟକାନ୍ତ ତ୍ରିପାଠୀ, ସୀତା ଭୂମିକାରେ ବିନୋଦ କଅଁର ଓ ଅନ୍ୟାନ୍ୟ ଭୂମିକାରେ ଅନେକ ବରିଷ୍ଠ କଳାକାର ଅଭିନୟ କରିଥିଲେ |

Comments are closed.