ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ତ୍ରୀ, ହତ୍ୟା ପଛରେ ପ୍ରେମ କାହାଣୀ

ବାରିପଦା (ଓଡିଶା ନ୍ୟୁଜ୨୪): ସୁପାରୀ କିଲର ସହ ମିଶି ସ୍ତ୍ରୀ ହତ୍ୟା କରିଛି ନିଜ ସ୍ୱାମୀକୁ । ସ୍ୱାମୀଙ୍କ ଠାରୁ ଶାରୀରିକ ସୁଖ ନ ପାଇବା ଓ ପର ପୁରୁଷ ସହ ଅବୈଧ ସମ୍ପର୍କ ଗଢିଉଠିଥିବାର କରୁଣ ପରିଣତି ସ୍ୱରୂପ ଜୀବନ ହରାଇବାକୁ ପଡିଛି ଜଣେ ନିରୀହ ସ୍ୱାମୀକୁ । ହତ୍ୟା କରିବା ପରେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଅନୁସନ୍ଧାନ ଚାଲୁ ରଖି ଆଜି ଧରିବାରେ ସକ୍ଷମ ହୋଇଛି ସ୍ୱାମୀହନ୍ତା ପତ୍ନୀ ଓ ସୁପାରୀ କିଲରକୁ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ୨୮ ତାରିଖ ବାରିପଦା ୨୫ନଂ ଓ୍ୱାର୍ଡ ଛାଞ୍ଚ ଠାରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ବାରିପଦା ପୋଲିସ। ପୋଷ୍ଟାଲ ଏଜେଣ୍ଟ ଆଦିତ୍ୟ ପଣ୍ଡା ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ଚନ୍ଦନା ପଣ୍ଡା ହିଁ ଥିଲେ ହତ୍ୟାକାରୀ । ସ୍ୱାମୀଙ୍କ ଠାରୁ ଶାରୀରିକ ସୁଖ ପାଉ ନ ଥିବାରୁ ସମ୍ପର୍କୀୟ ଦିଅରଙ୍କ ସାଙ୍ଗରେ ଗଢି ଉଠିଥିଲା ଅବୈଧ ଶାରୀରିକ ସମ୍ପର୍କ । ହେଲେ ଦିଅର ଭାଉଜଙ୍କ ରାସ୍ତାରେ କଣ୍ଟା ଥିଲେ ସ୍ୱାମୀ ଆଦିତ୍ୟ । ତେଣୁ ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବା ଲାଗି ଚନ୍ଦନା କରିଥିଲେ ଜଘନ୍ୟ ଷଡଯନ୍ତ୍ର । ଘରେ କାମ କରୁଥିବା ମୁର୍ଶିଦାବାଦର ରାଜମିସ୍ତ୍ରୀକୁ ହାତ କରି ୨ଲକ୍ଷ ଟଙ୍କାରେ ଠିକ୍ କରିଥିଲେ ସୁପାରୀ କିଲର୍ । ଶେଷରେ ସୁଯୋଗ ଦେଖି ସୁପାରୀ କିଲର୍ ସହିତ ମିଶି ଗତ ୨୭ ତାରିଖ ରାତିରେ ମୁହଁରେ ତକିଆ ଯାକି ସ୍ୱାମୀ ଆଦିତ୍ୟଙ୍କୁ ହତ୍ୟା କରିଥିବାର ଚାଞ୍ଚଲ୍ୟକର ବୟାନ ଦେଇ ନିଜ ଦୋଷ ସ୍ୱୀକାର କରିଛନ୍ତି ଚନ୍ଦନା । ବାରିପଦା ଟାଉନ ପୋଲିସ ଏହି ଘଟଣାର ଖୁଲାସା କରି ଚନ୍ଦନା ପଣ୍ଡା ସହିତ ହତ୍ୟାକାରୀ ସୁପାରୀ କିଲର ଠିକ୍ କରିଥିବା ରାଜମିସ୍ତ୍ରୀ ଲାଲଟୁ ସେଖ୍ କୁ ଗିରଫ କରିଛି । ସୁପାରୀ ବାବଦକୁ ଦବାକୁ ଥିବା ଅଗ୍ରୀମ ୩୦ ହଜାର ଟଙ୍କା ମଧ୍ୟ ଚନ୍ଦନାଙ୍କ ଘରୁ ଜବତ କରିଛି । ଏ ମାମଲାରେ ବାରିପଦା ଟାଉନ ପିଏସ୍ କେଶ ନଂ- ୧୦୪/୨୮.୦୪.୧୯ ଅନୁଯାୟୀ ଦଫା ୩୦୨, ୩୪ ଆଇପିସିରେ କେସ ରୁଜୁ ହୋଇଛି। ଅଭିଯୁକ୍ତ ୨ଜଣଙ୍କୁ କୋର୍ଟ ଚାଲାଣ କାରାଯଇଛି । କିନ୍ତୁ ସୁପାରୀ କିଲର ତଥା ମୁଖ୍ୟ ହତ୍ୟାକାରୀ ଜମୀର ଶେଖ୍ ଏବେ ମଧ୍ୟ ଫେରାର ଅଛି ।

Comments are closed.