Related Contents

ସଂସାର ଚଳାଇବା ପାଈଁ ଯାଇଥିଲେ ଦାଦନ, ବେଙ୍ଗାଲୁରୁରେ ନିର୍ଯାତିତ ଶ୍ରମିକ ବ୍ରହ୍ମପୁରରେ ମୃତ୍ୟୁ

ଗଞ୍ଜାମ(ଜଗନ କୁମାର ସେଠୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଫାସି ଗ୍ରାମ ପଞ୍ଚାୟତ ବେତାରପଲ୍ଲୀ ଗ୍ରାମର ନିର୍ଯାତିତ ଦାଦନ ଶ୍ରମିକ ସୁରେନ୍ଦ୍ର ଖୁଣ୍ଟିଆ (୪୨)ଙ୍କ ମୃତ୍ୟୁ ଘଟିଛି |

କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଯାତନା ସହି ନ ପାରି ନିକଟରେ ଗ୍ରାମକୁ ଫେରିଥିବା ସୁରେନ୍ଦ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି | ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଗତ ୮ ମାସ ତଳେ ନିଜ ଭିଟାମାଟି ଛାଡି ଦାଦନ ଶ୍ରମିକ ଭାବେ ଅଞ୍ଚଳର କିଛି ଲୋକଙ୍କ ସହ ସୁଦୂର ବେଙ୍ଗାଲୁରୁ ଯାଇଥିଲେ ସୁରେନ୍ଦ୍ର | ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ | ପରେ ସେ ପାରିଶ୍ରମିକ ନ ପାଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଯାତିତ ହୋଇ ଆସୁଥିଲେ | ଦୀର୍ଘ ୮ ମାସ ଧରି କାମ କରି ଆସୁଥିଲେ ମଧ୍ୟ କେବଳ ଗୋଟିଏ ମାସର ହିଁ ସେ ଦରମା ପାଇଥିଲେ | ଟଙ୍କା ମାଗିଲେ ନିର୍ଯାତନା ଦିଆଯିବା ସହ ଭୋକ ଉପାସରେ ସୁରେନ୍ଦ୍ରଙ୍କୁ ଖଟାଯାଉଥିଲା ବୋଲି ତାଙ୍କ ପରିବାର ଲୋକ କହିଛନ୍ତି | ଏପରିକି ତାଙ୍କୁ ମାଡ ମଧ୍ୟ ମରା ଯାଉଥିଲା | ଏ ନେଇ ପରିବାର ବର୍ଗଙ୍କୁ ଫୋନ ମାଧ୍ୟମରେ ସେ ପ୍ରତିଦିନ ଜଣାଉଥିଲେ | ନିର୍ଯାତନା ଅସହ୍ୟ ହେବାରୁ ନିଜ ଗ୍ରାମକୁ ଫେରିଥିଲେ ସୁରେନ୍ଦ୍ର | ହଠାତ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଈଁ ବ୍ରହ୍ମପୁର ବଡମେଡିକାଲକୁ ନିଆଯାଇଥିଲା | ସେଠାରେ ତାଙ୍କର ମୃତ୍ୟୁ ହୋଇଛି | ପରିବାର ଲୋକ ପୂର୍ବରୁ କୋଦଳା ଥାନା, ଶ୍ରମିକ କମିଶନ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |

କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏକ ଅମୁଲ୍ୟ ଜୀବନ ଅକାରଣରେ ଚାଲିଗଲା ବୋଲି ସାଧାରଣରେ ଅଭିଯୋଗ ହେଉଛି | ବର୍ତ୍ତମାନ ରୋଜଗାରିଆ ସ୍ୱାମୀକୁ ହରାଇ ସ୍ତ୍ରୀ ଓ ତାଙ୍କ ଶିଶୁ ଅସହାୟ ହୋଇପଡିଛନ୍ତି | ତେଣୁ ପ୍ରଶାସନ ତୁରନ୍ତ ଏ ପରିବାର ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି |

Comments are closed.