ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ସହରରେ ଗଜପତି ଛକ ଠାରେ ପାରଳା ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମଜୟନ୍ତୀ ସହରର ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ପାଳନ କରାଯାଇଛି ପ୍ରଥମେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |

ମହାରାଜ କୃଷ୍ଣଚନ୍ଦ୍ର ଗଜପତି ହେଉଛନ୍ତି ନୂତନ ଆଧୁନିକ ଓଡ଼ିଶାର ମହାନାୟକ । ଏକ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଅବଧାରଣା କରି ତାକୁ କାର୍ଯ୍ୟକାରୀ କରାଇ ନ ଥିଲେ ବୋଧହୁଏ ଆଜି ଅବିଭକ୍ତ ବାଲେଶ୍ୱର ଲୋକେ ବଙ୍ଗାଳୀ, ସମ୍ବଲପୁର ଲୋକେ ଛତିଶଗଡି ଏବଂ କୋରାପୁଟ ଓ ଗଞ୍ଜାମ ଲୋକେ ତେଲୁଗୁ ପଢୁଥାନ୍ତେ, କହୁଥାନ୍ତେ । ସେଥିପାଇଁ ସବୁ ଓଡ଼ିଆଙ୍କ ପାଇଁ ସେ ପ୍ରଣମ୍ୟ । ପ୍ରାୟ ଶହେ ବର୍ଷ ପୂର୍ବେ ସାଧାରଣ ଲୋକ ଓ ଚାଷୀଙ୍କ ପାଇଁ ଜଳ ସଂରକ୍ଷଣ ଓ ଜଳସେଚନ କଥା ଚିନ୍ତା କରି ଖନନ କରିଥିଲେ ବିରାଟକାୟ ସାଗରମାନ । ସ୍ୱାସ୍ଥ୍ୟ କଥା ଚିନ୍ତା କରି କରିପକାଇଲେ କଟକରେ ଏସସିବି ଓ ବ୍ରହ୍ମପୁରରେ ଏମକେସିଜି ଡାକ୍ତରୀ ମହାବିଦ୍ୟାଳୟ । ନ୍ୟାୟ ନିଶାପ କଥା ଚିନ୍ତାକରି ତୋଳିଲେ କଟକରେ ହାଇକୋର୍ଟ । ପାରଳାଖେମୁଣ୍ଡିର ରାଜା ନଥିଲେ ସଂକୀର୍ଣ୍ଣମନା । ଆଉ ଏଇଥି ପାଇଁ ତ ଓଡ଼ିଶାବାସୀ ତାଙ୍କୁ ଦୁଇ ଦୁଇ ଥର କରିଥିଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ।

ସାରା ଓଡିଶାକୁ ତାଙ୍କର ଅବଦାନ ଆହୁରି ଅନେକ । ଆଜି ତାଙ୍କର ୧୨୮ ତମ ଜନ୍ମ ତିଥିରେ ସମସ୍ତ ରାୟଗଡ ବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି । ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ ମହାନ୍ତି ଓ ଡଃ ଉଦୟ ଚନ୍ଦ୍ର ପଣ୍ଡାଙ୍କ ଆନ୍ତରିକ ଉଦ୍ୟମରେ ଆଜି ଗଜପତି ଛକରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସେହି ମହାନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ପରେ ଡଃ ପଣ୍ଡାଙ୍କ ସମସ୍ତଙ୍କୁ ଜଳପାନ କରାଇବା ସମସ୍ତଙ୍କ ପାଇଁ ଏକ ସ୍ମୃତି ହୋଇ ରହିବ । ପ୍ରଶାସନ ଶିଥିଳ ହେଲେ ନାଗରିକମାନେ କ୍ରିୟାଶୀଳ ହୁଅନ୍ତି ବୋଲି ଆଜିବି ପ୍ରମାଣିତ ହେଲା । ଜିଲ୍ଲାରେ ଭବିଷ୍ୟତରେ ଆହୁରି ଅଧିକ ସମ୍ଭାବନା ସୃଷ୍ଟି ହେବାର ଆଶା ରଖୁଛି ।

Comments are closed.