ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର : ଦର୍ଶନ ପାଇଁ ଡବଲ ଡୋଜ ଟିକା ନେବା ଜରୁରୀ

0
177

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୫/୦୮) : ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତା ଅଗଷ୍ଟ ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଗଷ୍ଟ ୧୬ରୁ ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୧ ଓ ୨୨ ତାରିଖ ଶଟଡାଉନ୍ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି । ୨୩ ତାରିଖ ଠାରୁ ସବୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରେବେ ବୋଲି କୁହାଯାଇଛି । କୋଭିଡ୍ ଗାଇଡଲାଇନ ପାଳନ କରି ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି ।

ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ଦର୍ଶନ ବନ୍ଦ ରହିଥିଲା ଶ୍ରୀମନ୍ଦିର । ବିନା ଭକ୍ତରେ ହୋଇଥିଲା ମହାପ୍ରଭୁଙ୍କ ରଥ ଯାତ୍ରା । ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶାନିଯୋଗ ବୈଠକ ଆଜି ବସିଥିଲା ।

ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକ କ୍ରିଷନ୍ କୁମାର ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ଛତିଶାନିଯୋଗ ମହାନାୟକ ଜନାର୍ଦ୍ଧନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ବିଶାଲ ସିଂ, ସିଡିଏମଓ ସୂଜାତା ମିଶ୍ର, ଛତିଶଟି ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ ।

ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ମୁଖ୍ୟପ୍ରଶାସକ ଘୋଷଣା କରିଛନ୍ତି । ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧ ଓ ୨୨ ତାରିଖ ଶଟଡାଉନ୍ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି । ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।

ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଡବଲ ଡୋଜ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖିାଇବା ଜରୁରୀ । ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରୀ । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ଶଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଘୋଷଣା କରିଛନ୍ତି ।