ନିୟମ ଅବହେଳା କଲେ ପୁଣି ଲକଡାଉନ ଲାଗୁ ହେବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
195

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୫/୦୮) : ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନଲକ୍‌ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି । ଲୋକମାନେ କୋଭିଡ ନିୟମ କୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ୱାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ ।

ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ । ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ । ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍‌ ବଢୁଛି । ଭୁବନେଶ୍ୱରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍‌ ହେଉଛି । କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ ।

କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ହିଁ ଆମେ ତୃତୀୟ ଲହରର intensityକୁ କମ୍‌ କରିଦେଇପାରିବା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ଵିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ ।

ଦ୍ଵିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ ।

ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’