Thursday, March 28, 2024

Top 5 This Week

Related Posts

ଆସାମରେ ବନ୍ୟା ବିପର୍ଯ୍ୟୟ : ଗଲାଣି ୯ ଜୀବନ, ୬ ଲକ୍ଷ ଲୋକେ ପ୍ରଭାବିତ

ରିପୋର୍ଟ : ରାମନାଥ ଗନ୍ତାୟତ
ଆସାମ, (୧୯/୦୫) : ଆସାମରେ ବନ୍ୟା ବିପର୍ଯ୍ୟୟ । ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବନ୍ୟା କମିବା ପରେ ଆସୁଛି ସାଂଘାତିକ ଚିତ୍ର ।

ରାଜ୍ୟରେ ବନ୍ୟା ଯୋଗୁଁ ଲୋକଙ୍କ ଚାଷ ବାସ ସବୁ ଉଜୁଡ଼ି ଯାଇଛି । ଆସାମରେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ । ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ ୨୬ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ କଚ୍ଚାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦିମା ହସାଓ ସମେତ ଆହୁରି କିଛି ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଛି । ପରିସ୍ଥିତିକୁ ଦେଖି ସେନା ଓ ଆସାମ ରାଇଫଲସ ର ଯବାନ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । କଚ୍ଚାର ଜିଲ୍ଲାରେ ପରିସ୍ଥିତି ସବୁଠୁ ଅଧିକ ଗମ୍ଭୀର ରହିଛି ।

କେବଳ କଚ୍ଚାର ଜିଲ୍ଲାରେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି । ଲୋକମାନେ ଜୀବନ ବିକଳରେ ଅତ୍ୟାବଶ୍ୟକ ଆସବାବ ପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗି ଯାଇଛି । ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ସେନା, ଏସଡିଆରଏଫ କର୍ମଚାରୀ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଗରୁ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସାମ ସମେତ ଅରୁଣାଚଳ ପ୍ରଦେଶ, ମେଘାଳୟ, ପଶ୍ଚିମବଙ୍ଗ, ସିକ୍କିମ ଅଞ୍ଚଳରେ ମଧ୍ୟ ବର୍ଷା ର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ବନ୍ୟାସ୍ଥିତି ପଚାରି ବୁଝିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

Popular Articles