ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ସୋସିଆଲ ମିଡିଆରେ ଭାଇରଲ ଘଟଣା, ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ

ମୁରିବାହାଲ(ଭଗବାନ ମହାନ୍ତି): କଲେଜ ଯାଉଥିବା ଛାତ୍ରଂକୁ ରାସ୍ତାରୁ ଅପହରଣ କରି ଦୁଷ୍କର୍ମ କରିବା ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ଫଟୋ ସୋସିଆଲ ମିଡ଼ିଆ ରେ ଭାଇରଲ କରିବା ଘଟଣାରେ ଅଭିୟୁକ୍ତ ଶିକ୍ଷକ ଗଣେଶ ସେଲମ (୩୦)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି |

ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁରିବାହାଲ ଥାନା ଅଂଚଳର ଜଣେ ଛାତ୍ରୀ (୧୯) ବର୍ଷ ଗତ ଫେବୃଆରୀ ମାସରେ କଲେଜ ଯିବାକୁ ବସ୍କୁ ଅପେକ୍ଷା କରିଥିବା ସମୟରେ ଗାରେଇ ପଂଚାୟତ ଅସୁରମୁଣ୍ଡା ଗ୍ରାମର ତଥା ବେଲପଡା ବ୍ଲକ ଛିଂକେଲ ଜୋର ବିଦ୍ୟାଳୟର ଶିକ୍ଷକ ଗଣେଶ ତାଙ୍କୁ କଲେଜରେ ଛାଡି ଦେବେ କହି ଅପହରଣ କରିନେଇ କୌଣସି ଏକ ଗୁପ୍ତ ସ୍ଥାନରେ ଦୁଷ୍କର୍ମ କରି ସେ ସମୟର ଫଟୋ ଉଠାଇ ଥିଲେ | ସେହି ଫଟୋକୁ ସମ୍ପୃକ୍ତ ଶିକ୍ଷକ ସୋସିଆଲ ମିଡିଆରେ ଭାଇରଲ କରିଦେଇଥିଲେ | ଏହା ପରେ ଛାତ୍ରୀଙ୍କ ପରିବାର ଲୋକେ ଗଣେଶଙ୍କୁ ପଚାରିବାରୁ ସେ ଛାତ୍ରୀ ଓ ତାର ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିଲେ |

ଶେଷରେ ଛାତ୍ରୀ ଜଣକ ଫେବୃଆରୀ ୧୭ତାରିଖ ଦିନ ମୁରିବାହାଲ ଥାନାରେ ଏତଲା ଦେଇଥିଲେ | ଦୁଇ ମାସ ଧରି ମୁରିବାହାଲ ଥାନା ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ ନ କରିବାରୁ ଛାତ୍ରୀଙ୍କ ପରିବାର ଗତ ୮ତାରିଖରେ ଥାନା ସମ୍ମୁଖରେ ଆମରଣ ଅନଶନ କରିଥିଲେ | ଶେଷରେ ପୋଲିସ ଅଭିଯୁକ୍ତ ଗଣେଶଙ୍କୁ ଗିରଫ କରିଥିଲା | ତଦନ୍ତ ଓ ପଚରାଉଚରା ପରେ ରବିବାର କୋର୍ଟ ଚାଲାଣ କରିଛି ବୋଲି ମୁରିବାହାଲ ଆଇଆଇସି ଲୋକନାଥ ଭୋଇ ପ୍ରକାଶ କରିଛନ୍ତି |

Comments are closed.