ସମତା ଏକ୍ସପ୍ରେସ ରୁ ରେଳ ସୁରକ୍ଷା ବଳ ଦ୍ଵାରା ୩୪ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

0
115
ସମତା ଏକ୍ସପ୍ରେସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା(୧୫/୦୫) : ସମତା ଏକ୍ସପ୍ରେସ ରୁ ରେଳ ସୁରକ୍ଷା ବଳ ଦ୍ଵାରା ୩୪ କେଜି ଗଞ୍ଜେଇ ଜବତ । ଟିଟିଲାଗଡ ରେଳ ଜଙ୍କସନ ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ପରିଚିତ । ଏଠାରୁ ଦେଶର ସମସ୍ତ କୋଣକୁ ରେଳ ଯାତ୍ରା ପାଇଁ ବହୁତ ଲୋକ ନିର୍ଭର କରିଥାନ୍ତି ।

ତେବେ ଅସାଧୁ ବ୍ୟବସାୟୀ ଏହାର ସୁବିଧା ନେଇ କରନ୍ତି ଚୋରା ଚାଲାଣ, ଏହିଭଳି ଏକ ଗଞ୍ଜେଇ ଚୋରା ଚାଲାଣ ଦେଇ ସମତା ଏକ୍ସପ୍ରେସ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରେଳ ସୁରକ୍ଷା ବଳ ଆଇଆଇସି ଧର୍ମେନ୍ଦ୍ର ମିଶ୍ର ସିଆଇବି, ଏସଆଇବି ଦଳକୁ ଖବର ଦେଇ ସମତା ଏକ୍ସପ୍ରେସ ଷ୍ଟେସନକୁ ଆସିବା ପୂର୍ବରୁ ମିଳିତ ଟିମ ପ୍ଲାଟଫର୍ମରେ ଉପସ୍ଥିତ ରହିଥିଲେ ।

ସମତା ଏକ୍ସପ୍ରେସ ପହଞ୍ଚିବା ପରେ ଏହି ସ୍ଵତନ୍ତ୍ର ଦଳ ପର୍ଯ୍ୟାୟକ୍ରମେ ସମସ୍ତ ବଗିରେ ଛାନଭିନ କରିବା ସହ ଟ୍ରେନ ର ଶେଷ ଭାଗରେ ରହିଥିବା ସାଧାରଣ ଶ୍ରେଣୀ ବଗିରେ ଦୁଇଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଓ ସିଟ ତଳ ଭାଗରେ ଦୁଇଟି ଟ୍ରଲି ବ୍ୟାଗ୍ ରହିଥିବା ଦେଖିବାକୁ ପାଇ ସନ୍ଦେହରେ ଉକ୍ତ ଟ୍ରଲି ବ୍ୟାଗକୁ ଯାଞ୍ଚ କରିବାରୁ ଗଞ୍ଜେଇ ବାହାରିଥିଲା । ଉଭୟ ଅଭିଯୁକ୍ତଙ୍କ ସହ ଗଞ୍ଜେଇକୁ ଜବତ କରି ଆରପିଏଫ କାର୍ଯ୍ୟାଳୟକୁ ଆଣିଥିଲେ ।

ଜବତ ଗଞ୍ଜେଇ କୁ ଓଜନ କରିବା ପରେ ତାହା ୩୪ କେଜିଥିବା ଜଣା ପଡିଥିଲା, ଏଥି ସହ ଉକ୍ତ ଗଞ୍ଜେଇ ପାର୍ବତିପୂରରୁ ଦିଲ୍ଲୀକୁ ଚାଲାଣ କରାଯାଉଥିବା ଅଭିଯୁକ୍ତ ମାନେ କହିଛନ୍ତି । ଅଭିଯୁକ୍ତ ଯୁବକ ଦ୍ୱୟ ଉତ୍ତରପ୍ରଦେଶ ଗଜିଆବାଦ ଜିଲ୍ଲା ନିବାସୀ ପୱନ ସିଂ (୨୪), ହିମାଂଶୁ ଶର୍ମା (୨୫) ବୋଲି ଜଣା ପଡିଛି । ଉଭୟ ଅଭିଯୁକ୍ତଙ୍କୁ ଜି.ଆର.ପି କୁ ହସ୍ତାନ୍ତର କରାଯାଇଥିବା ବେଳେ ଜିଆରପି ପକ୍ଷରୁ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଆରପିଏଫ ଏସଆଇ ରମେଶ ଚନ୍ଦ୍ର ପାତ୍ର, କୁମାର ସତ୍ୟମ, ଚୈତନ୍ୟ ବାଗ, ପରମାନନ୍ଦ ଭାଟି, ଅଭୟ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।