୫ବର୍ଷର ହିସାବ ମାଗୁଛନ୍ତି ଭୋଟର, ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ନେତା

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ୪): ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର ଜୋରଦାର ହେଉଛି । ପ୍ରାର୍ଥୀମାନେ ନିଜ ନିଜ ପ୍ରତିଶୃତି ଦେଇ ଭୋଟରଙ୍କୁ ଭକୁଆ ବନାଇ ନିର୍ବାଚନୀ ବୈତରଣୀ ପାରହେବ ପାଇଁ ଚେଷ୍ଟା ଚାଲିଛି | ହେଲେ ଏବେ ସେ ସମୟ ଆଉ ନାହିଁ ଯେ ଲୋକଙ୍କୁ ଭକୁଆ କରି ଭୋଟ ମାଗି ପାଞ୍ଚ ବର୍ଷ ଦେଖା ଦେବନି, ଏବେ ସାଧାରଣ ଭୋଟର ମଧ୍ୟ ପ୍ରାର୍ଥୀଙ୍କୁ କିଫାୟତ ମାଗି ହଟହଟା କରିବାକୁ ଦେଖିବାକୁ ମିଳୁଛି |

କିଛି ନେତା ୨୦୧୪ ନିର୍ବାଚନ ବେଳେ ଅଞ୍ଚଳବାସୀଙ୍କୁ ଅନେକ ପ୍ରତଶ୍ରୁତି ଦେଇ ଭୋଟ ହାତେଇଥିଲେ ଆଉ ଭୋଟର ବି ଭରସା କରିଥିଲେ | ହେଲେ ଏବେ ୨୦୧୯ ନିର୍ବାଚନ ରେ ସେ ଭୋଟରଙ୍କ ଆକ୍ଷେପର ଶିକାର ହୋଇଛନ୍ତି କେତେ ନେତା | ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କେତେ ପାଳନ କରିଛନ୍ତି ଏବେ ଭୋଟର ସିଧା ସଳଖ ପ୍ରଶ୍ନ ବାଣରେ ସିଧା କରିଦେଇଛନ୍ତି କିଛି ବିଜେଡି ନେତାଙ୍କୁ | ଏମିତି ପରିସ୍ଥିତିକୁ ସାମ୍ନା କରିଥିବା ନେତାମାନେ ହେଲେ ବିଜେଡିର ପଦ୍ମନାଭ ବେହେରା, ଟୁକୁନି ସାହୁ, ନିରଞ୍ଜନ ପୂଜାରୀଙ୍କ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ପ୍ରଚାରରେ ଯାଇଥିଲେ ବିନିକା ବ୍ଲକ ଚରଦା ପଞ୍ଚାୟତ ଫୁଳମୁଠି ଗାଁକୁ । ହେଲେ ସେଠାରେ ଗ୍ରାମବାସୀ ପ୍ରଶ୍ନବାଣରେ ଘାଇଲା କରିଦେଇଥିଲେ ପ୍ରାର୍ଥୀଙ୍କୁ | ପାଣି ସମସ୍ୟାକୁ ନେଇ ପଦ୍ମନାଭଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିଜେଡିର ଗଡ ବିରମହାରାଜପୁର ନିର୍ବାଚନ ମଣ୍ଡଳୀ । ଆଜି ପର୍ଯ୍ୟନ୍ତ ୨୦୦୦ ମସିହାରୁ ବିଜେଡି କବ୍ଜାରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀରେ ପାଣି ସମସ୍ୟାର ସମାଧାନ ହୋଇ ପାରିନାହିଁ । ବିନିକା ସ୍ଥିତ ଚୋକିଜୋର ଚେକ୍‌ ଡ୍ୟାମ୍‌ରେ ପାଣି ନ ଥିବାରୁ ଡ୍ୟାମ୍‌ ଶୁଖିଲା ପଡିଛି I ଶହ ଶହ ପମ୍ପ ଅଚଳ ହୋଇ ପଡ଼ିଛି । ପାଣି ଅଭାବରୁ ପ୍ରାୟ ହଜାର ହଜାର ଏକର ଚାଷ ଜମିର ମାଟି ଫାଟି ଆଁ କଲାଣି I ଏହି ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଆଜି ପଦ୍ମନାଭ ପ୍ରଚାରରେ ଏହି ଗାଁକୁ ଆସିଥିବ ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇ ବିରୋଧ କରିଛନ୍ତି ।

ସେହିପରି ବିଜେଡି ବିଧାୟିକା ପ୍ରାର୍ଥୀନି ଟୁକୁନି ସାହୁଙ୍କୁ ଥରେ ନୁହେଁ, ଦୁଇ ଦୁଇ ଥର ବିରୋଧର ସାମ୍ନା କରିବାକୁ ପଡ଼ିଛି । ଥରେ ଟିଟିଲାଗଡ଼ର ଶିଭ୍ରଟାପଡ଼ା ଏବଂ ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି । ବିଜେଡି ଟିକେଟ୍‌ରେ ଟିଟିଲାଗଡରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ମଧ୍ୟ ଏମିତି ବିରୋଧର ସମ୍ମୁଖୀନ ହୋଇଥିଲେ । ଟୁକୁନି ସାହୁ ୨୦୧୪ରେ ମଧ୍ୟ ଏହି ଆସନରୁ ଜିତି ଥିଲେ । ହେଲେ ଭୋଟରଙ୍କ ଅଭିଯୋଗ ଯେ, ସେ ଦେଇଥିବା ପ୍ରତିଶ୍ରୁତି ଏ ଯାଏ ପୂରଣ କରି ପାରି ନାହାନ୍ତି । ଟୁକୁନି ସାହୁ ଟିଟିଲାଗଡ଼ର ୧୪ ନମ୍ବର ୱାର୍ଡକୁ ପ୍ରଚାର କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇ ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ବିକାଶ ହୋଇନି ବୋଲି ସେମାନେ ଅଭିଯୋଗ କରିଥିଲେ । ‘ବିଜେଡି ଗୋ ବ୍ୟାକ୍‌’, ‘ଟୁକୁନି ସାହୁ ମୁର୍ଦ୍ଦାବାଦ୍‌’ କହି ସେମାନେ ନାରାବାଜି ବି କରିଥିଲେ । ଲୋକେ ଟୁକୁନି ସାହୁଙ୍କୁ ୫ ବର୍ଷର ହିସାବ ମାଗି ଏକ ପ୍ରକାର ଅଟକ ରଖି ଦେଇଥିଲେ। ପରିସ୍ଥିତି ଏମିତି ହେଲା ଯେ ଶେଷରେ ପୁଲିସ୍ ଆସି ବିଧାୟିକାଙ୍କୁ ଉଦ୍ଧାର କରିଥିଲା । ସେହିପରି ଶୁଭ୍ରଟାପଡ଼ାରେ ମଧ୍ୟ ଟୁକୁନି ସାହୁ ହଟହଟା ହେବାର ଭିଡିଓ ଭାଇରାଲ୍ ହୋଇଥିଲା । ସେଠାରେ ବି ଲୋକେ ତାଙ୍କୁ ଘେରି ଯାଇ ୫ ବର୍ଷର ହିସାବ ମାଗିଥିଲେ । ଏହା ସହିତ ପଡ଼ାରେ ପୂରାଇ ଦେବେନି ବୋଲି କହିଥିଲେ।

ସୋନପୁରର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମଧ୍ୟ ଲୋକେ ଠାରେ ନୁହେଁ ଦୁଇ ଥର ବିରୋଧ କରିଛନ୍ତି । କୁଟାସିରା ଗାଁକୁ ନିର୍ବାଚନ ପ୍ରଚାର କରିବା ସମୟରେ ମିଛ ବିକାଶର ଡିଣ୍ଡିମ ପିଟୁଥିବା କହି ତାଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିଦେବା କି ବୋଲି ପ୍ରଶ୍ନ କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା । ସେହିପରି ଡୁଙ୍ଗୁରିପାଲିର କର୍ଲାଜୁରୀରେ ସଭା କରୁଥିବାବେଳେ ମଧ୍ୟ ମନ୍ତ୍ରୀଙ୍କୁ ଭୋଟର୍ ବିରୋଧ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ମନ୍ତ୍ରୀ ଭୋଟରଙ୍କୁ ଧମକାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା ।

ସେହିପର ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରୀ ବିଧାୟକ ସଂଞ୍ଜୟ ଦାଶବର୍ମା ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇ ହଟହଟା ହୋଇଥିଲେ । ଚିଟ୍‌ଫଣ୍ଡ ମାମଲାରେ ଦାଶବର୍ମାଙ୍କ ସମ୍ପୃକ୍ତି ନେଇ ଜନତା ତାଙ୍କୁ ଘେରିଯାଇ ଚିଟ୍‌ଫଣ୍ଡ ଟଙ୍କା ମଧ୍ୟ ମାଗିଥିଲେ ।

Comments are closed.