ଖଣି ମାଫିଆ କୁ ଗିରଫ ଦାବୀ ନେଇ ଜିଲ୍ଲା କନ୍ଧ ସମାଜ ଓ ମୃତକ ଙ୍କ ପରିବାର ଥାନାରେ

0
164
ଖଣି ମାଫିଆ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, ତା (୧୨/୦୫) : ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଘଟିଥିଲା ଏକ ଲୋମଟାଙ୍ଗୁରା ଘଟଣା l ଦେଢ଼ ଶହ ଫୁଟ ଗାତରେ ପଶି ଖଣିରୁ ରତ୍ନ ପଥର ସଂଗ୍ରହ କରିବାକୁ ଯାଇ ଦୁଇ ଶ୍ରମିକ ଙ୍କ ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଗଲା l ଆଉ ଏହି ଘଟଣାକୁ ଚାପିବାକୁ ଖଣି ମାଫିଆ ରାଜୁ ସାହୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲା ।

ହେଲେ ଘଟଣା ସମ୍ପର୍କରେ ଖବର ପାଇ ବିଭିନ୍ନ ଗଣମାଧ୍ୟମ ଘଟଣା ସ୍ଥଳକୁ ପହଞ୍ଚିବା ପରେ ରତ୍ନ ପଥର ଖଣି ମାଫିଆ ରାଜୁ ସାହୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ଟିଟିଲାଗଡ଼ ସହର ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଥିବା ଗୁଲମୀ ଗାଁ କୁ ଲାଗିଥିବା ତିଖାରି ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଭାଲୁଡୁଙ୍ଗୁରି ରୁ ବେଆଇନ ଭାବରେ ବର୍ଷ ବର୍ଷ ଧରି ଚାଲିଥିଲା ରତ୍ନ ପଥର ଖନନ କାମ l

ଏହି କାମରେ ଖଣି ମାଫିଆ ରାଜୁ ସାହୁ ଗୁଲମୀ ତଥା ନୂଆପଡା ଗାଁ ସମେତ ଆଖ ପାଖ ଜଙ୍ଗଲ ଘେରା ଗାଁ ମାନଙ୍କରୁ ଶ୍ରମିକ ମାନଙ୍କୁ ଆଣି ରତ୍ନ ପଥର ଚୋରା କାରବାର ପାଇଁ ଗାତ ଖୋଲି ରତ୍ନ ପଥର ବାହାର କରିବା ପାଇଁ ନିୟୋଜିତ କରିଆସୁଥିଲା l ହେଲେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ଭିତିରି ଗୁମର ରତ୍ନ ପଥର ଖନନ କାମ ସମ୍ପର୍କରେ କଥା ପଦାକୁ ଆସିଥିଲା l

ଏନେଇ ବନ ବିଭାଗ ଏବଂ ଟିଟିଲାଗଡ଼ ପୋଲିସ ବିଭାଗ ଦୁଇ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ତିନି ସପ୍ତାହ ପରେ ବି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ସାହୁ ର କୌଣସି ଖୋଜ ଖବର ମିଳିନାହିଁ l ପୋଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ବି ରତ୍ନ ପଥର ମାଫିଆର ଟେର ବି ଏଯାଏଁ ପୋଲିସ ପାଇନାହିଁ l

ସେପଟେ ବନ ବିଭାଗ କେବଳ ଏକ ମାମଲା ରୁଜୁ କରି ଚୁପ ବସିଥିବା ବେଳେ ଘଟଣାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲା ଯୁବ କନ୍ଧ ସମାଜ ତଥା ମୃତକଙ୍କ ପରିବାର ଲୋକେ ବୁଧବାର ଗୁଲମୀ ଗ୍ରାମବାସୀଙ୍କ ସହ ଆସି ଟିଟିଲାଗଡ଼ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରିବା ସହ ମୁଖ୍ୟ ଅଭିଯୁକ୍ତ ରାଜୁ ସାହୁ କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି l

ସେପଟେ ଥାନା ଅଧିକାରୀ ରଞ୍ଜନ ବରିହା ଅଭିଯୁକ୍ତ ରାଜୁ ସାହୁ କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ତଥା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ନେଇ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ l ଆଗାମୀ ଆଠ ଦିନ ମଧ୍ୟରେ ରତ୍ନ ପଥର ମାଫିଆଙ୍କୁ ଗିରଫ କରିବାକୁ ଗ୍ରାମବାସି ତଥା ମୃତକ ଙ୍କ ପରିବାର ଦାବୀ କରିଛି l

ଏହି ଆଲୋଚନା ସମୟରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ର ଉପସଭାପତି ଧନେଶ୍ୱର ମାଝୀ, ଜିଲ୍ଲା ସଂଯୋଜକ ବାସୁଦେବ ଜାନି, ସୁରେନ ଭୋଇ, ବୈରାଗୀ ମାଝୀ, ଗୋପ ମାଝୀ, ମୁରିବାହାଲ ବ୍ଲକ ସମ୍ପାଦକ ତୁଳସୀ ରାମ ଭୋଇ, ନାରୀ ନେତ୍ରୀ ବନିତା ପ୍ରଧାନୀ, ମୃତକଙ୍କ ପରିବାର ହେମ ଯାନୀ, ଅଷ୍ଟମୀ ଯାନୀ, ଟଙ୍କ ଯାନୀ, ଭରତ ଯାନୀ, ପଙ୍କଜ ପ୍ରଧାନୀ, ମୁରଲୀ ପ୍ରଧାନୀ, ବଂଶୀ ମାଝୀ, ଧନେଶ୍ୱର ଭୋଇ, ସଦା ମାଝୀ ସହ ଗୁଲମୀ ଗାଁ ର ଅଧିବାସୀ ମାନେ ଉପସ୍ଥିତ ଥିଲେ l