Friday, March 29, 2024

Top 5 This Week

Related Posts

କନିଷ୍ଠ ଯନ୍ତ୍ରୀ ଙ୍କୁ ନୃଶଂସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୦/୦୫) : ଗତ ୫ ତାରିଖ ଦିନ ପ୍ରାୟ ୧୧ ଟାରୁ ୧୨ ମଧ୍ୟରେ ପାଟଣାଗଡ- ଯୋଗୀମୁଣ୍ଡା ମୁଖ୍ୟରାସ୍ତା ର ବନକା ବିହର ଛକରୁ ଖୋଜ ଖବର ମିଳୁ ନଥିବା ପାଟଣାଗଡ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ମିଳିଥିଲା ।

ତାଙ୍କ ମୋପେଡ୍ ସହିତ ଛକ ଠାରୁ ପ୍ରାୟ ୨ କିମି ଦୂରସ୍ଥ ଷୋଳବନ୍ଧ ପଞ୍ଚାୟତ ର ବନକା ବିହର ଗ୍ରାମ ର ରାସ୍ତାରୁ ପ୍ରାୟ ୫୦୦ ମିଟର ର ଏକ ଡୁଙ୍ଗୁରିତଳର କପାକ୍ଷେତରୁ ପରଦିନ ଛେଳି ଚରାଳୀଙ୍କ ଠାରୁ ଖବର ପାଇ ପାଟଣାଗଡ ପୁଲିସ୍ କନିଷ୍ଠ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର କରିବା ସହ ହତ୍ୟା ମାମଲା ର ଛଅ ଦିନ ପରେ ବି ଏ ଯାଏଁ କୌଣସି ସୁରାକ୍ ମିଳିପାରି ନାହିଁ ।

ପୁଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ବଲାଙ୍ଗୀରରେ ଶବ ବ୍ୟବଚ୍ଛେଦ କରାଇ ରିପୋର୍ଟ ଆସି ନଥିବା କହୁଛି । ମୃତ ଜେଇଙ୍କର ଘର କଟକ ଜିଲ୍ଲା ର ନିଆଳି ଅଞ୍ଚଳରେ ଓ ଖବର ପାଇ ସେଠାରୁ ତାଙ୍କ ଆତ୍ମୀୟସ୍ୱଜନ ମାନେ ପହଞ୍ଚି ବଲାଙ୍ଗୀର ଏସ୍ ପି ଙ୍କୁ ସେ ଠିକା କାମରେ ପିସି ନେଉ ଥିବା ଓ ମିଥ୍ୟା ବିଲ୍ ପାଇଁ ଚାପ ପକାଇ ମାନି ନଥିବା ଇତ୍ୟାଦି କାରଣ ନିମନ୍ତେ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ ବ୍ୟକ୍ତ କରିଛନ୍ତି ।

ପାଟଣାଗଡ ଯନ୍ତ୍ରୀ ସଂଘ ପକ୍ଷରୁ ମଧ୍ୟ ଏସ୍ ପିଙ୍କୁ ଏହାର ଉଚିତ୍ ତଦନ୍ତ ସକାଶେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାପରେ ପାଟଣାଗଡ ବ୍ଲକ୍ ର ସମସ୍ତ କର୍ମଚାରୀମାନେ ଏକ ବୈଠକରେ କାର୍ଯ୍ୟ ବନ୍ଦ ର ଚେତାବନୀ ଦେଇ ଜିଲ୍ଲାପାଳଙ୍କୁ ଅବଗତି କରିବା ସହିତ ସେମାନଙ୍କର ରାଜ୍ୟସଂଘ ଡିଜିପିଙ୍କୁ ଭେଟି ମାମଲାର ତଦନ୍ତ ନିମନ୍ତେ ଦାବି କରିବାକୁ ପ୍ରସ୍ତୁତ ହେଉଥିବା ପ୍ରକାଶ । ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଅଦ୍ୟାବଧି ତଦନ୍ତକାରୀ ପୋଲିସ୍ ର ହାତ ଖାଲି ରହିଛି । କେତେକଙ୍କୁ ପୋଲିସ୍ ଆଣି ଭିତିରିଆ ଗୋପନରେ ଜେରା କରିଥିବା ଶୁଣାଯାଇଥିବା ବେଳେ ଏ ସମ୍ପର୍କରେ ପୁଲିସ୍ ମୁହଁ ଖୋଲୁନାହିଁ । ଏହାପଛରେ ରାଜନୈତିକ ଚାପ ବା ପ୍ରଭାବ ରହିଥିବା ମଧ୍ୟ ଅନୁମାନ କରାଯାଉଛି ।

ମୁଖ୍ୟ ରହସ୍ୟ ହେଲା ରାସ୍ତାଘାଟ ନଥିବା ସେଭଳି ଏକ ନିଛାଟିଆ ସ୍ଥାନକୁ ତାଙ୍କର ମୋପେଡ୍ ଓ ମୃତଦେହ ଗଲା କିପରି ? ଏପରିକି ସାମ୍ବାଦିକଙ୍କୁ ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ‘ ସେଠିକୁ ମୃତଦେହ କିପରି ଗଲା ? ‘ ବୋଲି ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା କୌତୁହଳଜନକ କଥା  ! ସ୍ଥାନୀୟ ପୋଲିସ ର କାର୍ଯ୍ୟକଳାପ ଓ ତଦନ୍ତରେ କାଳକ୍ଷେପଣ ବିରୋଧରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଘଟଣାରୁ ପ୍ରକାଶ ଯେ, ସେଦିନ ସେ ଦିନ ପ୍ରାୟ ୧୦ ଟାରେ ପାଟଣାଗଡ ବ୍ଲକ୍ ନିକଟସ୍ଥ ତାଙ୍କ ଭଡାଘରୁ ବାହାରି ତାଙ୍କର ପୁରୁଣା ମୋପେଡ୍ ରେ ଯୋଗୀମୁଣ୍ଡାରେ ହାଇସ୍କୁଲରେ ଚାଲିଥିବା 5T କାମ ର ତଦାରଖ କରିବାକୁ ଯାଇ ସେଠାରେ ଫଟୋ ଉଠାଇ ପ୍ରାୟ ୧୧ ଟା ବେଳକୁ ବନକାବିହାର ଛକରେ ପହଞ୍ଚିଥିବାର ସିସି ଟିଭି ରେକର୍ଡ ରହିଛି । ଏହାପରେ ତାଙ୍କର ଷୋଳବନ୍ଧ ପଞ୍ଚାୟତ ଦେଇ ଅନ୍ୟ ଏକ ପଞ୍ଚାୟତକୁ ଯିବାର ଥିଲା ବୋଲି ଶୁଣାଯାଇଛି ।

ତେବେ ବନକାବିହାର ଗ୍ରାମ ନିକଟସ୍ଥ ସେଇ ଗାଁ ର ଇଲାକାର ଏକ ଛୋଟ ରାସ୍ତାରୁ କିଛିଦୂରରେ ବାଟଘାଟ ନଥିବା ଏକ ପାହାଡିଆ କପା ବିଲ ବା ଆଣ୍ଟ ରେ ତାଙ୍କର ମୋପେଡ୍ ସହ ମୃତଦେହ ମିଳିଥିଲା । ମୋପେଡ୍ ଟି କପା କ୍ଷେତ ର ଭିତରେ କିଆରୀ ର ଆଡିରେ ଡେରା ହୋଇଥିବା ଅବସ୍ଥାରେ ରହିଥିବା ବେଳେ ତାଙ୍କ ମୃତଦେହଟି ଉପରକୁ ମୁହଁକରି ଗୋଟିଏ ଗୋଡ ଆରଗୋଡ ଉପରେ ଲଦାଯାଇ ଶୁଆଇ ଦିଆଯାଇଥିବା ଭଳି ପଡିଥିଲା । ତାଙ୍କ ପାଦରେ କ୍ରସର୍ ବା ନଳକୂଅ ଖୋଳା ବେଳର ବାହାରୁଥିବା ଧଳା ପଥର ଗୁଣ୍ଡ ପରି ଗୁଣ୍ଡ ଲାଗିଥିଲା ଓ ତାଙ୍କର ଚପଲ ଦୁଇଟି ପାଦ ପାଖରେ ଉପରକୁ ଉପର ସଜାହେଇଥିଲା ପରି ରଖିଦିଆ ଯାଇଥିଲା ।

ନାକ ଓ ମୁହଁରୁ ରକ୍ତ ବାହାରୁଥିଲା ଓ ଏପରିକି ଶବ ଉଦ୍ଧାର ବେଳେ ବଜବଜ ରକ୍ତ ବାହାରିଥିବା ଦେଖାଯାଇଥିଲା ।  ହାତ, ଗୋଡ, ବେକମୂଳ ଓ ପିଠି ର ଚମ ଛାଡିଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ପକେଟ୍ ରେ ଥିବା ତାଙ୍କ ମୋବାଇଲ୍ ଫୋନ୍ ଟି ବାରମ୍ବାର ରିଂ ହେଉଥିଲା ।

ପରେ ବ୍ୟବଚ୍ଛେଦ ବେଳେ ଉପସ୍ଥିତଥିବା ବ୍ୟକ୍ତି ଙ୍କ କହିବାନୁଯାୟୀ ,ତାଙ୍କର ଅଣ୍ଡକୋଷ ମଧ୍ୟ ଫୁଲିଯାଇଥିଲା । ଉପରୋକ୍ତ କାରଣରୁ ତାଙ୍କୁ ବନକାବିହାର ଛକରୁ ଅପହରଣ କରିନିଆଯାଇ ହାତଗୋଡ ବାନ୍ଧି କୌଣସି ଠାରେ ରଖି ହତ୍ୟା କଲାପରେ ରାତିରେ ଟ୍ରାକ୍ଟର ବା କୌଣସି ଗାଡିରେ ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି । ଆହୁରି ମଧ୍ୟ ଏ ସମ୍ପର୍କରେ ଭିନ୍ନ ଭିନ୍ନ ଚର୍ଚ୍ଚା ପ୍ରକାଶ ପାଇ ଆସୁଛି ।

ଏଥି ମଧ୍ୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଚର୍ଚ୍ଚାରୁ ତାଙ୍କଠାରୁ ୪ ଜଣ ଠିକାଦାର ୨ ଲକ୍ଷ ୨୦ ହଜାର ଟଙ୍କା ହାତଉଧାରୀ ନେଇ ଫେରାଉ ନଥିବା, ତା’ ମଧ୍ୟରେ ଜଣେ ଲକ୍ଷେ କୋଡିଏ ହଜାର ନେଇଥିବା, ସେ ବହୁ ବିଲ୍ ମାସ ମାସ ଧରି କରୁ ନଥିବା, ଏପରିକି ଜଣେ କ୍ଷମତାଶାଳୀନେତାଙ୍କ ଚାପ ସତ୍ତ୍ୱେ କରି ନଥିବା ଇତ୍ୟାଦି ଅନ୍ୟତମ । ତେବେ ସେ ଜଣେ ଅପେକ୍ଷାକୃତ ସଚ୍ଚୋଟ ଜେଇ ଥିବା ଓ କୌଣସି ମତେ ମିଥ୍ୟା ବିଲ୍ ବା ନିମ୍ନମାନ ର କାମ ଇତ୍ୟାଦି ଅନ୍ୟାୟକୁ ଆଦୌ ପ୍ରଶୟ ଦେଉ ନଥିବା ଓ ନିରାଡମ୍ବର ସାଦାସିଧା ଜୀବନଯାପନ କରୁଥିବା ଯନ୍ତ୍ରୀ ଥିଲେ ଇତ୍ୟାଦି କୁହାଯାଉଛି ।

ଉକ୍ତଦିନ ସେ ଯୋଗୀମୁଣ୍ଡା ହାଇସ୍କୁଲରେ ଚାଲିଥିବା 5T ହାଇସ୍କୁଲ କାମ ର ତଦାରଖକରିବାକୁ ଯାଇଥିବା ଓ ତହିଁର ଫଟୋ ଉଠାଇ ପିଡିଙ୍କୁ ଦେବାକୁ ଆଣି ଫେରୁଥିବା କୁହାଯାଉଛି । ଶୁଣିବାକୁ ମିଳେ ଯେ, ପୂର୍ବରୁ ଏହି କାମରେ କମ୍ପ୍ଲେନ୍ ହେବାରୁ ଠିକାଦାର ବଦଳାଯାଇଥିଲା ଓ ଦୀର୍ଘ ପ୍ରାୟ ଛଅ / ସାତମାସ ହେଲା ରନିଂବିଲ୍ ମଧ୍ୟ କରାଯାଉ ନଥିଲା ।

ନିୟମାନୁଯାୟୀ, ଏବର ଏହିସବୁ କାମ ବିଭାଗୀୟ ଅର୍ଥାତ୍ ଉକ୍ତ ଜେଇଙ୍କ ନାମରେ କାର୍ଯ୍ୟାଦେଶ ହୋଇଥିଲେ ହେଁ, ପ୍ରାୟତଃ ରାଜନୈତିକ ଲୋକମାନଙ୍କ ମଧ୍ୟରେ ଏହାର ଠିକା ବଣ୍ଟନ ହୋଇଥାଏ । ଏଣୁ ଜେଇଙ୍କ ହତ୍ୟା ର ସନ୍ଦେହ ମଧ୍ୟ ଏହି ସ୍କୁଲ୍ କାମ ର ଠିକାଦାରଙ୍କ ଆଡକୁ ଅଙ୍କୁଳି ନିର୍ଦ୍ଦେଶ କରାଯିବା ସ୍ୱାଭାବିକ । କିନ୍ତୁ ଏହାର କୌଣସି ତଥ୍ୟ ପ୍ରମାଣ ଏ ଯାଏଁ ମିଳିପାରି ନାହିଁ । ଗଣମାଧ୍ୟମରେ ମଧ୍ୟ ଉପରୋକ୍ତ କଳ୍ପନାଜଳ୍ପନା ଜାରୀ ରହି ଆସିଛି ।

ତେବେ ବନକାବିହର ଛକରେ ଦୃଷ୍ଟି କେନ୍ଦ୍ରିତ କଲେ ଅନ୍ୟ ଯେଉଁ ଦିଗଟି ସନ୍ଦେହ ର ପରିଧିକୁ ଆସୁଛି, ତାହାହେଲା ସେଇ ଛକରୁ  ବନକାବିହର ଗାଁକୁ ଆସିଥିବା ରାସ୍ତା ର ଏକ ସମ୍ବାବନା ର କଥା । ସେଇ ବାଟ ଦେଇ ଜେଇ ଜଣକ ଷୋଳବନ୍ଧ ପଞ୍ଚାୟତ ଓ ସେଠାରୁ ଅନ୍ୟ ପଞ୍ଚାୟତକୁ ଆସିବାର ବାଲିପଟା ହାଇସ୍କୁଲ ପଛପଟ ଦେଇ ଏକ ସର୍ଟକଟ୍ ରାସ୍ତା ବାଛିଥିଲେ କି ? ଯଦି ଉକ୍ତ ଦିନ ବନକାବିହର ଛକରେ କେତେକଙ୍କ ସହିତ ତାଙ୍କର ବଚସା ହୋଇଥିବା କଥା ର ସତ୍ୟତା ରହିଛି ତା’ହେଲେ ସେମାନେ କିଏ ହୋଇଥାଇ ପାରନ୍ତି ?

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଜେଇଙ୍କ ଅଧିନସ୍ଥ ବନକାବିହର ଗ୍ରାମ ର ‘ ମୋ ଖଳା ‘ ର ଲେ- ଆଉଟ୍ ଦିଆଯିବାକୁ ନେଇ ପୂର୍ବରୁ ବିବାଦ ରହିଆସିଥିଲା । ଏପରିକି କିଛିଦିନ ତଳେ ଉକ୍ତ ଜେଇଙ୍କ ଭଡାଘରକୁ ଯାଇ ଦିନେ ଦଳେ ଲୋକ ପାଟିତୁଣ୍ଡ କରିଥିଲେ । ଏହି ‘ ମୋ ଖଳା ‘ ଲେ- ଆଉଟ୍ ନିମନ୍ତେ ଗ୍ରଗ ଦୁଇଟି ଗୋଷ୍ଠୀ ମଧ୍ୟରେ ମଧ୍ୟ ବିବାଦୀୟ ପରିସ୍ଥିତି ଘଟି ଥାନାରେ ଏତଲା ଦିଆଯାଇଥିଲା । ଯାହାକି ଏବେ ଗ୍ରାମବାସୀ ବା ପୁଲିସ୍ ଅସ୍ୱୀକାର କରନ୍ତି ।

ତେବେ ଯଦି ଏହା ସତ୍ୟ ହୋଇଥାଏ ଉକ୍ତଦିନ ଜେଇ ଜଣକ ସେଥିର ଭି ସେଇ ନିକଟସ୍ଥ କପାକ୍ଷେତକୁ ନେଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଇପାରେ କି  ? ତେବେ ଏହାର ସତ୍ୟତା ପ୍ରମାଣସିଦ୍ଧ ନୁହେଁ । ଏକ ଦିଶାହୀନ ତଦନ୍ତକୁ ଦିଗ ନିର୍ଣ୍ଣୟ ସକାଶେ ଏକ ଜଘନ୍ୟ ନରହତ୍ୟା ମାମଲା ର ସତ୍ୟୋଦ୍ ଘାଟନ ଉଦ୍ଦେଶ୍ୟରେ ଏକ ତର୍ଜମା ମାତ୍ର । ଏଭଳି ସମ୍ଭାବନାକୁ ସମ୍ପୃକ୍ତ ବନକାବିହର ଗ୍ରାମବାସୀ ଅସ୍ୱୀକାର କରନ୍ତି ।

ତେବେ ତଦନ୍ତକାରୀ ପୁଲିସ୍ ଏଦିଗରେ ତଦନ୍ତକରି ଯଦି ସଫଳ ହୋଇପାରେ, ଅନ୍ଧାରରେ ବାଡି ବୁଲାଇବା ଅପେକ୍ଷା ତାକୁ ଏକ ଦିଗ ମିଳିଯାଇପାରେ । ବିଭାଗୀୟ ବ୍ଲକ୍ କର୍ତ୍ତୃପକ୍ଷ ତାଙ୍କ ବ୍ଲକ୍ ରେ ଚାଲିଥିବା ମୋ ଖଳା କାର୍ଯ୍ୟକ୍ରମ ର ସ୍ପଷ୍ଟୀକରଣ ଦେବା ମଧ୍ୟ ଆବଶ୍ୟକ । ଉଲ୍ଲେଖଯୋଗ୍ୟ ଯେ, ମୃତଦେହ ର ପାଦତଳେ ଲାଗିଥିବା ଧଳାଗୁଣ୍ଡ ସଂପ୍ରତି ସେହି ଅଞ୍ଚଳରେ ଚାଲିଥିବା ଡିପ୍ ବୋର୍ଉଉଏଲ୍ ର ହେଇଥାଇପାରେ । ସେହିପରି ଦେହର ଚମଛଡା ଆଘାତ ସନ୍ ବର୍ଣ୍ଣ ହୋଇଥାଇପାରେ ବୋଲି ଚର୍ଚ୍ଚାରୁ ପ୍ରକାଶ ।

Popular Articles