କୃଷକ ଦିବସ ରେ ଅଖିମୁଠି ଅନୁକୂଳ କଲେ ମାନ୍ୟବର ମନ୍ତ୍ରୀ, ସାଂସଦ ଏବଂ ଜିଲ୍ଲାପାଳ

0
170
କୃଷକ ଦିବସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩/୫) : କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଲଙ୍ଗଳ ବୁଲାଇଲେ ଚଷାପୁଅ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।

ରାୟଗଡା ନିର୍ବାଚନୀ ମଣ୍ଡଳି କୋତାପେଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୀରନାରାୟଣପୁର ଗ୍ରାମରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକାଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇ ଅଖିମୁଠି ଅନୁକୂଳ କରିବା ସହ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।

୨ ବର୍ଷ ଧରି କରୋନା କଟକଣା ଯୋଗୁଁ ସାମୁହିକ ଭାବରେ ଅଖିମୁଠି ଅନୁକୂଳ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି କୃଷକ ଦିବସ । ଭୂମି ପୂଜାର୍ଚ୍ଚନା କରାଯିବା ପରେ ମନ୍ତ୍ରୀ ଶ୍ରୀ ସାରକା ଅଖିମୁଠି ଅନୁକୂଳ କରି ଲଙ୍ଗଳ ବୁଲାଇଥିଲେ । ପରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କୃଷି ରଥକୁ ଉଦଘାଟନ କରି ଜିଲ୍ଲା ସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

‘ଚାଷ କାମ ଯାହାର କେଡେ ସୁଖ ତାହାର, ସେ ସିନା ଯୋଗାଉଛି ଦୁନିଆକୁ ଆହାର’ ବୋଲି ମନ୍ତ୍ରୀ ଶ୍ରୀ ସାରକା ନିଜ ଭାଷଣରେ କହିବା ସହ ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନୂଆ ନୂଆ ଯୋଜନା କରି ସେମାନଙ୍କ ପାଇଁ ଚିନ୍ତା କରୁଛନ୍ତି ଏବଂ ଅକ୍ଷୟ ତୃତୀୟାରେ ଅବସରରେ ଚାଷୀଙ୍କ ସଶକ୍ତିକରଣ ପାଇଁ କାଳିଆ ଯୋଜନା ସହାୟତା ବଣ୍ଟନ ର ଶୁଭାରମ୍ଭ ଆଜି ସନ୍ଧ୍ୟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଥିଲେ ।

ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ, ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅତିଥି ମାନେ ମଧ୍ୟ ଚାଷ ଓ ଚାଷୀଙ୍କ ଉନ୍ନତି ଦିଗରେ ସରକାରଙ୍କ ସହାୟତା ଓ ଯୋଜନା ବିଷୟରେ ନିଜ ନିଜ ମତବ୍ୟକ୍ତ ରଖିଥିଲେ । ଚଳିତ ବର୍ଷ ଚାଷ ଏବଂ କୃଷକ ପାଇଁ ବର୍ଷଟି ଅନୁକୂଳ ହେଉ ବୋଲି ମନ୍ତ୍ରୀ ଶ୍ରୀ ସାରକା କାମନା କରିଥିବା ବେଳେ ଚାଷୀମାନେ ମଧ୍ୟ କୃଷକ ଦିବସକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳଦେବ ମହାପାତ୍ର, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ, ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ, ସିଡିଭିଓ, ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ସନ୍ଧ୍ୟାରାଣୀ ପୁଲାକା, ପ୍ରଶାନ୍ତ କୁଲେସିକା, ପି.ଗୈାରୀ ଶଙ୍କର, ରାମନାଗୁଡା ବ୍ଳକ ଅଧ୍ୟକ୍ଷ ଦେବ କୁମାର ଗମାଙ୍ଗଙ୍କ ସମେତ ଅନ୍ୟ ଜନ ପ୍ରତିନିଧ ଏବଂ ବୀରନାରାୟଣପୁର ସମେତ ଆଖପାଖ ଗ୍ରାମ ର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ ।