ଭାଜପାରେ ଯୋଗଦେଲେ ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ

ଲୋଇସିଂହା (ବିମଳେନ୍ଦୁ ସାହୁ): ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେ ବିଜେପିରେ ମିଶିବା ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା । ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ପାଟଣାଗଡ଼ ସ୍ଥିତ ବାସଭବନରେ ବିଜେପି ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାୟକ, ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ଉପସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପଟେଲ ଭାଜପାରେ ଯୋଗ ଦେଇଛନ୍ତି । ବିଜେଡିରୁ ଲୋଇସିଂହା ପାଇଁ ଟିକେଟ ଆଶାୟୀ ଥିବା ସ୍ଥାନୀୟ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ସାନପୁଅ ନିହାର ରଞ୍ଜନ ବେହେରା ଦଳୀୟ ଟିକେଟରୁ ବଂଚିତ ହେବା ପରେ ଜଣେ ପରେ ଜଣେ ତାଙ୍କ ସମର୍ଥକ ବିଜେଡି ଛାଡିବା ଚର୍ଚ୍ଚାର ବିଷୟ ହୋଇଛି ।

ପୂର୍ବରୁ ବିଧାୟକ ଶ୍ରୀ ବେହେରାଙ୍କ ବଡ଼ପୁଅ ରାମଚନ୍ଦ୍ର ବେହେରା, ନୋମିନି ଶିବଦତ୍ତ ମିଶ୍ର ଏବଂ ତାଙ୍କ ସମର୍ଥକ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ବିଜେପିର ହାତ ଧରିଛନ୍ତି । ଆଗକୁ ଅନେକ ପୁରୁଣା ବିଜେଡି କର୍ମୀ ତଥା ନିହାରଙ୍କ ସମର୍ଥକ ବିଜେପିରେ ଯୋଗଦେବାର ସମ୍ଭାବନା ରହିଥିବା ବେଳେ ଅଦ୍ୟାବଧି ନିହାର ବିଜେଡି ଦଳରେ ରହି ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଳାଇଥିବା ଜଣାଯାଇଛି ।

Comments are closed.