୮୦% ବିଦେଶୀ ଡାକ୍ତରୀ ଡିଗ୍ରୀଧାରୀ ଅଯୋଗ୍ୟ

0
165
୮୦%

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୩/୦୫) : ବିଦେଶରୁ ଡାକ୍ତରୀ ଶିକ୍ଷା ଲାଭ କରି ଫେରୁଥିବା ୮୦% ଛାତ୍ରଛାତ୍ରୀ ଭାରତରେ କାର୍ଯ୍ୟ କରିବା ଲାଗି ଅଯୋଗ୍ୟ ଘୋଷିତ ହେଉଛନ୍ତି । ବିଦେଶରୁ ଡାକ୍ତରୀ ଶିକ୍ଷା ଲାଭ କରି ଆସୁଥିବା ପିଲାମାନଙ୍କୁ ଭାରତରେ ଚିକିତ୍ସା ଅଭ୍ୟାସ କରିବା ଲାଗି ବିଦେଶୀ ଡାକ୍ତରୀ ସ୍ନାତକ ପରୀକ୍ଷା (ଏଫ୍‌ଏମଜିଇ)ର ସମ୍ମୁଖୀନ ହୋଇଥାନ୍ତି ।

ଜାତୀୟ ମେଡିକାଲ କମିସନ (ପୂର୍ବରୁ ଏହା ଭାରତ ଭେଷଜ ପରିଷଦ ଥିଲା) ଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଆଧାରରେ ଜାତୀୟ ଶିକ୍ଷା ବୋର୍ଡ (ଏନବିଇ) ଏହି ପରୀକ୍ଷା ପରିଚାଳନା କରିଥାଏ । ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତୀ ଭାରତରେ ଡାକ୍ତରୀ ଅଭ୍ୟାସ ଲାଗି ଅନୁମତି ପାଇଥାନ୍ତି । ବିଦେଶରୁ ଡାକ୍ତରୀ ପଢି ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୦% ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ବେଳେ ୮୦% ବିଫଳ ହେଉଛନ୍ତି ବୋଲି ଏନବିଇ ତଥ୍ୟରୁ ଜଣାଯାଇଛି ।

ପ୍ରତିବର୍ଷ ଭାରତରୁ ଲକ୍ଷ ଲକ୍ଷ ପିଲା ରୁଷ୍‌, ୟୁକ୍ରେନ, ଚୀନ, ଫିଲିପାଇନ୍ସ, ବାଂଲାଦେଶ, ନେପାଳ ଓ ଅନ୍ୟ ରାଷ୍ଟ୍ରରେ ଡାକ୍ତରୀ ଅଧ୍ୟୟନ କରିବାକୁ ଯାଉଛନ୍ତି । ଭାରତରେ ଡାକ୍ତରୀ ପଢିବାର ସୁଯୋଗ ନ ପାଇବାରୁ ସେମାନେ ଏହିସବୁ ରାଷ୍ଟ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜିଲାଣ୍ଡରୁ ଏମବିବିଏସ୍‌ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଏଫ୍‌ଏମଜିଇର ସମ୍ମୁଖୀନ ହେବାକୁ ପଡି ନଥାଏ ।

ଏନବିଇ ତଥ୍ୟ ଅନୁଯାୟୀ ୨୦୧୯ରେ ୨୫.୭୯% ପିଲା ଏଫ୍‌ଏମଜିଇରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୨୦ରେ ଏହି ଉତ୍ତୀର୍ଣ୍ଣ ହାର ୧୪.୬୮ ଥିବାବେଳେ ୨୦୨୧ରେ ୨୩.୮୩% ରହିଥିଲା । ଏହି ହାର ଅନୁଯାୟୀ ପାଖାପାଖି ୮୦% ଛାତ୍ରଛାତ୍ରୀ ଏଫଏମଜିଇରେ ବିଫଳ ହେଉଛନ୍ତି । ଯେଉଁମାନେ କି ଭାରତରେ ଡାକ୍ତରୀ ଅଭ୍ୟାସ ବା ଚିକିତ୍ସା କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ରୂପେ ଅଯୋଗ୍ୟ ।

ସମ୍ପ୍ରତି ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ହଜାର ହଜାର ପିଲା ଭାରତ ଫେରି ଆସିଛନ୍ତି । ଏହିସବୁ ପିଲାମାନେ ଏବେ ସେମାନଙ୍କ ଡାକ୍ତରୀ ଶିକ୍ଷା ଭାରତରେ ଜାରି ରଖିବାକୁ ଦାବି କରିଛନ୍ତି । ଭାରତ ର ଡାକ୍ତରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସେମାନଙ୍କୁ ପଢିବାର ସୁଯୋଗ ଦେବା ଦାବି କରିଛନ୍ତି ।

ଅପରପକ୍ଷରେ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ରେକର୍ଡ ସଂଖ୍ୟକ ଡାକ୍ତର ସୃଷ୍ଟି ହେବେ ଓ ଦେଶରେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନିକଟରେ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦେଶ ର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଏହି କାର୍ଯ୍ୟ ଆଗାମୀ ୧୦ ବର୍ଷରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।