ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମିଳିବ ମାଗଣା ଶିକ୍ଷା

0
119
ବିସ୍ଥାପିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୫) : କଶ୍ମୀରରୁ ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବାକୁ ଘୋଷଣା କରିଛି କର୍ଣ୍ଣାଟକ ର ଦକ୍ଷିଣ କନ୍ନଡ ଜିଲ୍ଲା ର ଏକ ଶିକ୍ଷାନୁଷ୍ଠାନ ।

ନିଜର ମୂଳ ସ୍ଥାନରୁ ବିସ୍ଥାପିତ ହୋଇ ଦେଶ ର ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥିବା କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ଦକ୍ଷିଣ କନ୍ନଡ ଜିଲ୍ଲା ର ଅମ୍ୱିକା ମହାବିଦ୍ୟାଳୟ ଏହି ପ୍ରସ୍ତାବ ଦେଇଛି । ସଂସ୍ଥା ର ମୁଖ୍ୟ ସୁବ୍ରମଣ୍ୟ ନଟ୍ଟୋଜ ଏହି ଘୋଷଣା କରିଛନ୍ତି । ଏହାସହ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ସୁବ୍ରମଣ୍ୟ କହିଛନ୍ତି, ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିବା ପରେ ସେ କଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶାରେ ଦୁଃଖି ଅଛନ୍ତି ।

ନଟ୍ଟୋଜ ଜମ୍ମୁ କଶ୍ମୀର ଗସ୍ତ କରି ସ୍ଥିତିର ଅଧ୍ୟୟନ କରିବା ପରେ ସମସ୍ତ ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଶ୍ମୀର ପଣ୍ଡିତଙ୍କ ଛାତ୍ରଙ୍କୁ ଷଷ୍ଠ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ମାଗଣା ହଷ୍ଟେଲ ସୁବିଧା ଯୋଗଇବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଜଣ କଶ୍ମୀର ପଣ୍ଡିତଙ୍କ ପିଲା ସଂସ୍ଥାରେ ନାମ ଲେଖାଇ ସାରିଛନ୍ତି ।

ଏହା ପୂର୍ବରୁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ବାର୍ଷିକ ରିପୋର୍ଟ ଆଗତ କରିଥିଲା । ଏହି ରିପୋର୍ଟରେ କଶ୍ମୀର ପଣ୍ଡିତଙ୍କ କଥା କୁହାଯାଇଥିଲା । ସରକାର କହିଥିଲେ ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଯୋଗୁଁ ୬୪,୮୨୭ କଶ୍ମୀର ପଣ୍ଡିତ ପରିବାର ୧୯୯୦ ଦଶକ ର ଆରମ୍ଭରେ ଉପତ୍ୟକା ଛାଡି ଦେଶ ର ଅନ୍ୟ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ।