ବଲାଙ୍ଗୀରରେ ବାରମ୍ବାର ହାରିଥିବା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କୁ ସମ୍ବଲପୁର ପ୍ରାର୍ଥୀ କରିଥିବାରୁ ଇସ୍ତଫା ଦେଲେ ଅନେକ କଂଗ୍ରେସ ନେତା

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪): ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାରୁ ଏହାକୁ ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିରେ ବିଦ୍ରୋହ ଦେଖାଦେଇଛି । ଶରତ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେମାନେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଗକୁ ଆହୁରି ଅନେକ କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ ସେମାନେ କହିଛନ୍ତି । ଶରତ ପଟ୍ଟନାୟକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର । ତେଣୁ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । ଶରତ ବାରମ୍ବାର ନିର୍ବାଚନରେ ହାରିଥିବାରୁ ସେଭଳି ବ୍ୟକ୍ତିଙ୍କୁ ପ୍ରାର୍ଥିତ୍ୱକୁ କର୍ମୀମାନେ ବିରୋଧ କରୁଛନ୍ତି ବୋଲି ସେମାନେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ସମ୍ବଲପୁର ବିଧାନସଭା ଆସନରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ପ୍ରାର୍ଥିତ୍ୱକୁ ଅନେକ ଦଳୀୟ କର୍ମୀ ବିରୋଧ କରିଛନ୍ତି । ପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ କାଟି ଅଶ୍ୱିନୀ ପୂଜାହାରୀଙ୍କୁ ଦଳ ପ୍ରାର୍ଥୀ କରିଛି । ଏଣୁ ଅସନ୍ତୋଷ ଦେଖାଦେଇଛି ।

Comments are closed.