ଏପ୍ରିଲ ୧ତାରିଖ ଦିନ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଏପ୍ରିଲ ୧ତାରିଖ ଦିନ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଭି. ଆର. ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ |

ଏହାପରେ ସେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପଠନ କରିଥିଲେ | ପୋଲିସ ସବୁବେଳେ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବାସହ ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ କରିବର ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ରାଓ ଉଦବୋଧନରେ ଜଣାଇଥିଲେ | ସେହିପରି ୨୦୧୮-୧୯ର ଶ୍ରେଷ୍ଠ ସବ -ଇନିସ୍ପେକ୍ଟର ଭାବେ ରାଜକିଶୋର ବେହେରାଙ୍କୁ ଏକ ହାଜର ଟଙ୍କା, ଶ୍ରେଷ୍ଠ ଏ.ଏସ.ଆଇ ଭାବେ ବ୍ରଜେନ୍ଦ୍ର କୁମାର ସାହୁଙ୍କୁ ୭୫୦ଟଙ୍କା, ଶ୍ରେଷ୍ଠ ହାବିଲଦାର ଭାବେ ପ୍ରମୋଦ କୁମାର ସାହୁଙ୍କୁ ୭୫୦ଟଙ୍କା, ଶ୍ରେଷ୍ଠ ଇନିସ୍ପେକ୍ଟର ଭାବେ ସି/୨୦୪-ଗୌରୀ ଶଙ୍କର ସାହୁ, ସି/୩୯୦ବିରଞ୍ଚି ନାରାୟଣ ମହାନ୍ତି ଉଭୟଙ୍କୁ ୫୦୦ଟଙ୍କା ଲେଖାଏ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା |

ସେଶଖାଲ ଥାନା ଅଂଚଳରେ ନକଲି ଏମଭିଆର ସାଜି ଗାଡି ମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳହୋଇଥିବା ସବ -ଇନିସ୍ପେକ୍ଟର ଭୀମସେନ ପୂଜାରୀଙ୍କୁ ୫୦୦୦ଟଙ୍କା, ହେଡ଼ କନେଷ୍ଟବଲ ବାବା କିଶୋର ପାଣିଗ୍ରାହୀ ଓ କନେଷ୍ଟବଲ ସତ୍ୟନାରାୟଣଙ୍କୁ ୨୫୦୦ଟଙ୍କା ଲେଖାଏଁ ବାଣିଜ୍ୟ ବିଭାଗର ଆୟୁକ୍ତଙ୍କ ତରଫରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ରାୟଗଡା ଏସଡ଼ିପିଓ ତପନ ନାରାୟଣ ରଥ, ଡି ଏସ ପି ସତ୍ୟପ୍ରକାଶ ଭୁୟାଁ, ଚାନ୍ଦିଲି ଥାନା ଅଧିକାରୀ ଖିରେଶ୍ୱର ସାହୁ, ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ସମେତ ନିମଂତ୍ରିତ ଅତିଥି ଆଇ ଆର ଏସ ସିଦ୍ଧାର୍ଥ ଦାସ, ଅବସରପ୍ରାପ୍ତ ଡେପୁଟି କୋମାଣ୍ଡେଣ୍ଟ ଦାମୋଦର କହଁର, ସମେତ ଅନ୍ୟମାନେ ଉପସ୍ଥିତ ଥିଲେ | ରିଜର୍ଭ ପୋଲିସ ଅଧିକାରୀ ଆର ହେମ୍ବ୍ରମ ପ୍ୟାରେଡ଼ କୋମାଣ୍ଡେଣ୍ଟ ଭାବେ ପ୍ୟାରେଡ଼ ପରିଚାଳନା କରିଥିଲେ |

Comments are closed.