ଖରାର ପ୍ରକୋପକୁ ଦେଖି ୫ ଦିନ ସ୍କୁଲ ଛୁଟି

0
152
ଖରାର ପ୍ରକୋପକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୦୪) : ଖରାର ପ୍ରକୋପକୁ ଆଖିରେ ରଖି ୫ ଦିନ ସ୍କୁଲ ଛୁଟି ଘୋଷଣା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ଖରାର ପ୍ରକୋପକୁ ଦେଖି ସ୍କୁଲ ଛୁଟି ରହିଥିଲେ ମଧ୍ୟ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ଯୋଗୁଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଛୋଟ ଛୋଟ ପିଲା ସ୍କୁଲରୁ ଫେରିବାକୁ ନେଇ ଚିନ୍ତାରେ ଥିଲେ ଅଭିଭାବକ । ଆଉ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅଭିଭାବକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।

ଲଗାତାର ଭାବେ ଖରା ବଢ଼ୁଥିବାରୁ ସ୍କୁଲ ଛୁଟି କିମ୍ବା ସମୟ ପରିବର୍ତ୍ତନ ଲାଗି ଅଭିଭାବକ, ସ୍କୁଲ କର୍ତୃପକ୍ଷମାନେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଶିକ୍ଷକମାନେ ମଧ୍ୟ ସମାନ ସ୍ୱର ଉଠାଇବା ପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏ ନେଇ ଆଜି ବିଭାଗୀୟ ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଧିକାରୀମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ସମୟରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି କରାଗଲେ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବ। ପାଖାପାଖି ଦୁଇ ମାସ ଧରି ପୁଣି ପାଠପଢ଼ା ପଛେଇ ଯିବ । ତେଣୁ ଗ୍ରୀଷ୍ମ ଛୁଟିରେ କୌଣସି ପରିବର୍ତ୍ତନ ନ କରି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ହିଟ୍‌ ୱେଭ୍‌ ଆଧାରରେ ଆସନ୍ତା ୫ ଦିନ ଲାଗି ସ୍କୁଲ ଗୁଡ଼ିକରେ ପିଲାଙ୍କ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ମାତ୍ର ଏହି ସମୟ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବଭଳି ସ୍କୁଲକୁ ଆସିବେ । ପିଲାଙ୍କ ନାମଲେଖା ପ୍ରକ୍ରିୟା ଜାରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ଥିର ହୋଇଛି । ସେଥିପାଇଁ ବିଜ୍ଞପ୍ତିରେ ବି କେବଳ କ୍ଲାସ ବାତିଲ୍‌ କଥା ଉଲ୍ଲେଖ ହୋଇଛି ।