ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଫେରିବ ଡାକୋଟା ବିମାନ

0
181
ଚଳିତ ବର୍ଷ ଶେଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୪/୪) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଉଡ଼ାଇଥିବା ଡାକୋଟା ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଫେରିବ ବୋଲି ଆଶା କରାଯାଉଛି । ଏବେ ବିମାନଟି ଅଚଳ ଅବସ୍ଥାରେ କୋଲକାତା ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ି ରହିଛି ।

ଏହାକୁ ଖୋଲି ସଡ଼କପଥରେ ଭୁବନେଶ୍ୱର ଆଣି ପୁଣିଥରେ ଯୋଡ଼ିବା ପରେ ଆବଶ୍ୟକ ମରାମତି ଓ ରଙ୍ଗ କରାଯାଇ ଏକ ପ୍ରମୁଖ ସ୍ଥାନରେ ରଖାଯିବ । ଏହି କାର୍ଯ୍ୟ ଲାଗ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ । ବିଜୁ ବାବୁ ୧୯୪୭ ଜୁଲାଇ ୨୧ ରେ ଡାକୋଟା ବିମାନରେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡାକୋଟା ବିମାନ ଓଡ଼ିଶା ଲୋକଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ ଓ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଭୁବନେଶ୍ୱର ଫେରିବ ।

ଏହାକୁ ଆଣିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲେ ହେଁ କୋଭିଡ୍‌ ମହାମାରୀ ଯୋଗୁ ପ୍ରକ୍ରିୟା ବିଳମ୍ବିତ ହୋଇଛି । ଏବେ ଟେଣ୍ଡର ଚାଲିଛି । ବର୍ଷ ଶେଷ ସୁଦ୍ଧା ଏହାକୁ ଅଣାଯାଇପାରେ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଙ୍କଠାରୁ ଆବଶ୍ୟକ ମଞ୍ଜୁରୀ ମିଳିସାରିଛି । କୋଲକାତା ବିମାନ ବନ୍ଦରରୁ କେତେକ ସୁରକ୍ଷାଗତ ମଞ୍ଜୁରୀ ଅଣାଯିବ । ଡାକୋଟା ବିମାନକୁ ରଖିବା ପାଇଁ ଭୁବନେଶ୍ୱରରେ ଜାଗା ଚିହ୍ନଟ ହୋଇଛି ।

ପ୍ରକାଶ ଯେ, ୧୯୪୭ ରେ ଡଚ୍‌ମାନେ ପୁନର୍ବାର ଇଣ୍ଡୋନେସିଆକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ କଳିଙ୍ଗ ଏୟାରଲାଇନ୍ସ ର ଦକ୍ଷ ପାଇଲଟ ବିଜୁ ବାବୁଙ୍କୁ ବିମାନରେ ଜାଭା ଯାଇ ସୁକର୍ଣ୍ଣଙ୍କୁ ଉଦ୍ଧାର କରିବା ନିମନ୍ତେ ଜବାହରଲାଲ୍‌ ନେହେରୁ କହିଥିଲେ । ଡଚ୍‌ମାନେ ଉକ୍ତ ବିମାନକୁ ଗୁଳିକରି ଖସାଇବାକୁ ଧମକ ଦେଇଥିଲେ । ଯଦି ତାଙ୍କ ବିମାନକୁ ଖସାଇ ଦିଆଯାଏ, ତେବେ ନେଦରଲାଣ୍ଡସ୍‌ ର କୌଣସି ବିମାନକୁ ନିରାପଦ ର ସହିତ ଭାରତ ଉପରେ ଉଡ଼ିବାକୁ ଦିଆଯିବ ନାହିଁ ବୋଲି ବିଜୁବାବୁ କହିଥିଲେ ।

ତାଙ୍କର ଏଭଳି ଚେତାବନୀ ପରେ ଡଚ୍‌ କର୍ତ୍ତୃପକ୍ଷ ବିମାନରେ ଇଣ୍ଡୋନେସିଆ ନେତାଙ୍କୁ ନେବା ଲାଗି ଅନୁମତି ଦେଇଥିଲେ । ବିଜୁ ବାବୁଙ୍କର ଏହି ଦୁଃସାହସିକତା ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଘୋଷଣା କରିଥିଲେ ।