କ୍ରୋମ୍ ୟୁଜର୍ସ ଙ୍କୁ ଚେତାବନୀ : ଚୋରି ହେଇପାରେ ଆପଣଙ୍କ ତଥ୍ୟ

0
139
କ୍ରୋମ୍ ୟୁଜର୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୦୪) : କ୍ରୋମ୍ ୟୁଜର୍ସ ଙ୍କୁ ଚେତାବନୀ ! ଆପଣ ଯଦି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ କରୁଛନ୍ତି । ତେବେ ସତର୍କ ହେଇଯାଆନ୍ତୁ । କାହିଁକି ନା, ଅତି ସହଜରେ ଲିକ୍ ହେଇପାରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ।

ବର୍ତମାନ ସମୟରେ ଗୁଗୁଲ କ୍ରୋମ୍ ହେଉଛି ଗୋଟିଏ ଲୋକପ୍ରିୟ ବ୍ରାଉଜର । ଯାହାକୁ କୋଟି କୋଟି ଲୋକ ପ୍ରତିଦିନ ୟୁଜ୍ କରିଥାନ୍ତି । ଗୁଗୁଲ ହେଉ କି ଫେସବୁକ୍, ୟୁଟ୍ୟୁବ୍ ହେଉକି ଅନ୍ୟ କିଛି । ସବୁକିଛି ଏହି ବ୍ରାଉଜର ସାହାଯ୍ୟରେ ଲୋକମାନେ ସର୍ଚ୍ଚ କରିଥାନ୍ତି । ଭାରତରେ ବି ଲକ୍ଷ ଲକ୍ଷ ଲୋକ, ଏହି ବ୍ରାଉଜରକୁ ପ୍ରତିଦିନ ବ୍ୟବହାର କରିଥାନ୍ତି । ହେଲେ ଏବେ ଏହି ବ୍ରାଉଜର ଉପରେ ପଡିଛି ହ୍ୟାକର୍ସଙ୍କ ଆଖି ଯାହା କି କ୍ରୋମ୍ ୟୁଜର୍ସ ଙ୍କ ପାଇଁ ଚେତାବନୀ ସାଜିଛି । ଯାହା ଫଳରେ କୋଟି କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ବିପଦରେ ପଡିଯାଇଛି ।

ଗୁଗୁଲ କ୍ରୋମ୍ ନିଜେ ହିଁ ୟୁଜର୍ସମାନଙ୍କୁ ଏନେଇ ଚେତାବନୀ ଦେଇଛି । ବ୍ରାଉଜରରେ ଏକ ନୂଆ ପ୍ରକାରର ଜିରୋ-ଡେ ହାଇଥ୍ରେଟ୍ ଲେଭଲ ହ୍ୟାକ୍ ଦେଖିବାକୁ ମିଳିଥିବା ବେଳେ କମ୍ପାନୀ ଏ ନେଇ ଏକ ବ୍ଲଗ୍ ପୋଷ୍ଟ କରିବା ସହିତ ୟୁଜର୍ସ ମାନଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି । ତେବେ ୟୁଜର୍ସମାନେ ଅଧିକ ଭୟଭୀତ ନହେଇ ସତର୍କ ରହିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ରୋମର ସମସ୍ତ ପ୍ଲାଟଫର୍ମ, ଯେପରିକି ୱିଣ୍ଡୋସ୍, ମ୍ୟାକ୍ ଓଏସ ଆଉ ଆଣ୍ଡ୍ରୋଏଡରେ ଏହି ବିପଦ ଦେଖିବାକୁ ମିଳିଛି । ୟୁଜର୍ସମାନଙ୍କ ସେଫଟି ପାଇଁ ଗୁଗୁଲ ବର୍ତମାନ ଏ ନେଇ କାମ ଆରମ୍ଭ କରିଦେଇଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି କୁହାଯାଇଛି । ଅନ୍ୟପଟେ ଗୁଗୁଲ କ୍ରୋମ୍ ନିଜର ଏକ ନୂଆ ଭର୍ସନ ମଧ୍ୟ ଜାରିକରିଛି । ବର୍ତମାନ ଏହି ନୂଆ ଅପଡେଟ୍ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇ ନଥିବା ବେଳେ, ୟୁଜର୍ସମାନେ ଏହାର ଅପଡେଟ୍ ତୁରନ୍ତ ପାଇପାରିବେ ବୋଲି କ୍ରୋମ୍ ପକ୍ଷରୁ କୁହାଯାଇଛି ।