Related Contents

ବିଡ଼ିଓଙ୍କ ଗାଡ଼ି ଧକ୍କାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପଦ୍ମପୁର (ଜଗବନ୍ଧୁ ସାହୁ): ପଦ୍ମପୁର ବିଡ଼ିଓଙ୍କ ବୋଲେରୋ ଗାଡ଼ି ଧକ୍କାରେ ଆହତ ଯୁବକଙ୍କ ବୁର୍ଲା ମେଡିକାଲରୁ କଟକ ମେଡିକାଲକୁ ଯିବା ବାଟରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମର ବାସୁଦେବ ସୁନା (୨୫) | ସେ ତାଙ୍କ ପଛକୁ ପତ୍ନୀ, ପୁତ୍ର, ମାଁ,ବାପା ଓ ଦୁଇ ଭଉଣୀଙ୍କୁ ଛାଡି ଚାଲିଯାଇଛନ୍ତି ।

ବାସୁଦେବ ହିଁ ପରିବାର ପୋଷଣ ପାଇଁ ଏକ ମାତ୍ର ସାହାରା ଥିବାବେଳେ ଏବେ ତାଙ୍କ ପରିବାର ଲୋକେ ଭାଙ୍ଗିପଡିଛନ୍ତି । ଶ୍ରୀ ସୁନାଙ୍କ ମୃତ୍ୟୁ ରେ ମହୁଲପାଲି ଗ୍ରାମରେ ଶୋକର ଛାୟା ଖେଳିବା ସହିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ବାସୁଦେବଙ୍କ ମୃତ୍ୟୁରେ ବିଡ଼ିଓ ଏଲିଜା ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା, ରେଡକ୍ରସ୍ ରୁ ୧୦ ହଜାର ଏବଂ ବ୍ଲକ ଚିକିତ୍ସା ସହାୟତା ଯୋଜନା ଏପରି ମୋଟ ୩୨ ହଜାର ଟଙ୍କା ଏପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆଗକୁ ମୃତ ସୁନାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା, ରହିବା ପାଇଁ କଲୋନୀ ଘର ତଥା ଆହୁରି ସହାୟତା ରାଶି କରାଇଦେବା ସହିତ ପରିବାର ଲୋକଙ୍କ ସହମତି ଅନୁସାରେ ସ୍ବର୍ଗୀୟ ସୁନାଙ୍କ ପିଲାଙ୍କୁ ଆଶ୍ରମ ସ୍କୁଲରେ ଶିକ୍ଷାଲାଭ ପାଇଁ ବ୍ୟବସ୍ଥା କରିଦେବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ବିଡ଼ିଓ କୌଣସି କାମରେ ଏକ ବୋଲେରୋ ଗାଡ଼ିରେ ବାହାରକୁ ଯାଇ ଫେରିବା ବାଟରେ ପଦ୍ମପୁର କେନ୍ଦୁଲିଫ୍ ଅଫିସ ନିକଟରେ ମୋଟରସାଇକେଲରେ ଯାଉଥିବା ବାସୁଦେବ ସୁନା ସହିତ ଧକ୍କା ହୋଇଥିଲା । ବାସୁଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲଗିବାରୁ ପଦ୍ମପୁର ଡାକ୍ତରଖାନାରୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ।

Comments are closed.