ବିଶ୍ୱକୁ ଚେତାଇଲେ ଜେଲେନସ୍କି : ରୁଷ ପରମାଣୁ ଆକ୍ରମଣ କରିପାରେ, ପ୍ରସ୍ତୁତ ରହିବାକୁ ପଡିବ

0
148
ବିଶ୍ୱକୁ ଚେତାଇଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କିଭ୍‌, (୧୭/୦୪) : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ହୋଇଥିବା ଯୁଦ୍ଧ ଥମିବାର ନା ଧରୁନି । ୟୁକ୍ରେନ୍‌କୁ କଳେବଳେ କୌଶଳେ ହାତେଇବା ପାଇଁ ଲାଗିପଡିଛି ରୁଷ । ଏହାରି ଭିତରେ ବିଶ୍ୱକୁ ଚେତାଇଲେ ଜେଲେନସ୍କି ।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆଗକୁ ପରମାଣୁ ଆକ୍ରମଣ ହୋଇପାରେ ବୋଲି ସାରା ବିଶ୍ୱକୁ ଚେତାଇଲେ । ଏଥିପାଇଁ ବିଶ୍ୱ ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହିଛନ୍ତି । ସାମ୍ବାଦିକଙ୍କ ସହ କଥା ହୋଇ ଶନିବାର ଜେଲେନସ୍କି କହିଛନ୍ତି, ‘ରୁଷ ଆଗକୁ ଆଣବିକ ଅସ୍ତ୍ର ବ୍ୟବହାର କରିବା ସମ୍ଭାବନା ରହିଛି । ଏଥିପାଇଁ ଅପେକ୍ଷା ନକରି ପୂରା ବିଶ୍ୱ ପ୍ରସ୍ତୁତ ରହିବା ଉଚିତ ।

ରୁଷ୍‌ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେଇ ସାରିଥିବାରୁ ଆଉ ମୁହୂର୍ତ୍ତେ ବି ବିଳମ୍ବ କରିବା ଉଚିତ ନୁହେଁ । ଆମକୁ ସେଥିପ୍ରତି ପ୍ରସ୍ତୁତି କରିବା ପଡିବ । ଏଥିପାଇଁ ବିକିରଣ-ନିରୋଧୀ ଔଷଧ ଏବଂ ବିମାନ ଆକ୍ରମଣ ନିରୋଧୀ ଆଶ୍ରୟସ୍ଥଳ ଆବଶ୍ୟକ ହେବ । ରୁଷୀୟମାନେ ଯେକୌଣସି ଅସ୍ତ୍ର ପ୍ରୟୋଗ କରି ପାରନ୍ତି ବୋଲି ମୁଁ ଜାଣି ସାରିଛି ।’ ଏହା ପୂର୍ବରୁ ପୁଟିନ୍‌ ଯୋଗୁଁ ଥିବା ବିପଦ ପ୍ରତି ସାରା ବିଶ୍ୱ ଚିନ୍ତିତ ହେବା ଉଚିତ ବୋଲି ଶୁକ୍ରବାର ଦିନ ଜେଲେନସ୍କି ଚେତାଇଥିଲେ ।

ୟୁକ୍ରେନ୍‌ ରାଷ୍ଟ୍ରପତି ଆହୁରି କହିଛନ୍ତି, ମାରିୟୁପୋଲ୍‌ରେ ଏବେ ଚାଲିଥିବା ନରସଂହାର ଓ ଧ୍ୱଂସଲୀଳା ସବୁ ପ୍ରକାରର ବୁଝାମଣା ପାଇଁ ପଥରୋଧ କରିପାରେ । ମାରିୟୁପୋଲ୍‌କୁ ରକ୍ଷା କରିବା ନିମନ୍ତେ ୟୁକ୍ରେନ୍‌ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଆହୁରି ସହାୟତା ଆବଶ୍ୟକ କରୁଛି । ସେଠାକାର ପରିସ୍ଥିତି ଅତ୍ୟନ୍ତ ଅମାନବୀୟ । ସେଠାରେ ଯିଏ ଅଛନ୍ତି ଓ ଯାହାକିଛି ଅଛି ରୁଷ୍‌ ସେସବୁକୁ ଜାଣିଶୁଣି ନଷ୍ଟ କରିବାକୁ ଉଦ୍ୟମ କରୁଛି ।

ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ୱର୍ନସ୍ ଗୁରୁବାର କହିଛନ୍ତି ଯେ ୟୁକ୍ରେନ ବିରୁଦ୍ଧରେ ହୋଇଥିବା ଆକ୍ରମଣରେ ରୁଷ ର ନିରାଶା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱଳ୍ପ ଦୂରଗାମୀ ଏବଂ କମ୍ ଶକ୍ତିଶାଳୀ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ଉସକାଉପାରେ । ସେପଟେ ରୁଷ୍‌ ର ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର୍‌ କୋନାଶେଙ୍କୋଭ୍‌ କହିଛନ୍ତି, ଅଧିକାଂଶ ନଗରୀରୁ ୟୁକ୍ରେନୀୟ ସୈନିକମାନଙ୍କୁ ତଡ଼ି ଦିଆଯାଇଛି । କେବଳ ବିରାଟକାୟ ‘ଆଜୋଭ୍‌ସ୍ତଲ୍‌ ଇସ୍ପାତ କାରଖାନା’ ରେ କିଛି ସୈନିକ ଅଛନ୍ତି ।

ବିସ୍ଫୋରଣ ଘଟି ‘ମୋସ୍କଭ୍‌’ ଯୁଦ୍ଧପୋତ କୃଷ୍ଣସାଗରରେ ବୁଡ଼ି ଯିବାରୁ ଉତ୍‌କ୍ଷିପ୍ତ ହୋଇପଡିଥିବା ରୁ‌ଷ ସମ୍ପ୍ରତି କିଭ୍‌ ଏବଂ ପଶ୍ଚିମ ୟୁକ୍ରେନ୍‌ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ ଜୋର୍‌ଦାର୍‌ କରିଛି ।