ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

0
152
ସମ୍ଭାବ୍ୟ

ଜରୁରୀ କାମ ନ ଥିଲେ ଗ୍ରୀଷ୍ମ ପ୍ରକୋପ ରେ ପଦାକୁ ନ ବାହାରିବାକୁ ଜିଲ୍ଲାପାଳଙ୍କ ଜିଲ୍ଲାବାସୀ ଙ୍କୁ ବିଶେଷ ଅନୁରୋଧ, ଜିଲ୍ଲା ର ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ  ଅଧିକାରୀ ମାନଙ୍କୁ ଜିଲ୍ଲପାଳ ଙ୍କ ପରାମର୍ଶ : ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ।

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୬/୪) : ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଧନ ଜୀବନ ର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରକାଳୀନ ଅଂଶୁଘାତ ସ୍ଥିତି ସମୀକ୍ଷା ବୈଠକ ଆଜି ତା ୧୫/୦୪/୨୦୨୨ ରେ ଆଭାସୀ ଜରିଆରେ ରେ ଅନୁଷ୍ଠିତ ହୋଇଯାଇଛି ।

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ସୋନପୁର ଓ ବୀରମହାରାଜପୁର ଉପ ଜିଲ୍ଲାପାଳ, ସମସ୍ତ ବି. ଡି.ଓ., ତହସିଲଦାର, ମ୍ୟୁନିସିପାଲଟି ଏବଂ ଏନ. ଏ. ସି. ର କାର୍ଯ୍ୟନିର୍ବାହୀ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଆର୍. ଡବ୍ଲୁ. ଏସ. ଏସ୍, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଓ ଅନ୍ୟାନ୍ୟ କ୍ଷେତ୍ର ତଥା ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ଅଧିକାରୀ ମାନେ ଯୋଗଦାନ କରିଥିଲେ ।

ଚଳିତ ବର୍ଷ ଏପ୍ରିଲ ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ଭାବେ ରୌଦ୍ରତାପ ବଢ଼ିବାରେ ଲାଗିଛି । ବିଗତ ଦୁଇଦିନ ମଧ୍ୟରେ ଜିଲ୍ଲା ର ତାପମାତ୍ରା ସର୍ବୋଚ୍ଚ ରହିଥିବା ବେଳେ ସାଧାରଣ ଜନ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ଗତ ୧୩ ଓ ୧୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ଯଥାକ୍ରମେ ୪୩.୯ ଓ ୪୪.୨ ରହିଥିଲା ।

ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ଓ ତତ୍ପର ରହିବା ସହିତ ଆଗାମୀ ଦିନରେ ସମ୍ଭାବ୍ୟ କଠିନ ଅଂଶୁଘାତ ପରିସ୍ଥିତି ର ଯେପରି ସୁବ୍ୟବସ୍ଥିତ ଭାବେ ମୁକାବିଲା କରାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବା ସହିତ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ନିଜ ନିଜ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବାକୁ କଡାକଡି ନିର୍ଦ୍ଦେଶ ଦେବା ସହିତ ସମସ୍ତ କର୍ମଚାରୀ ଯେଉଁ ମାନଙ୍କ ଉପରେ ଅଂଶୁଘାତ ମୁକାବିଲା ର ଦାୟିତ୍ଵ ନ୍ୟସ୍ତ କରାଯାଇଛି ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଥିଲେ ।

ଜିଲ୍ଲାରେ କୌଣସି ସ୍ଥାନରେ ଯେମିତି ପାନୀୟ ଜଳ ର ସମସ୍ୟା ଦେଖା ନ ଯିବ ସେଥିପ୍ରତି ବିଶେଷ ଯତ୍ନବାନ୍ ହେବାପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରକ୍ଷୀରେ ବି. ଡି.ଓ. ତଥା ନିର୍ବାହୀ ଯନ୍ତ୍ରୀ ଆର୍. ଡବ୍ଲୁ. ଏସ. ଏସ୍. ଜଣାଇଥିଲେ ଯେ ଜିଲ୍ଲାରେ ବର୍ତ୍ତମାନ ନଳକୂପ ମରାମତି ପାଇଁ ବିଭାଗ ରେ ଆବଶ୍ୟକୀୟ ଆନୁସଙ୍ଗିକ ଯନ୍ତ୍ରାଂଶ ପ୍ରଚୁର ମାତ୍ରାରେ ମହଜୁଦ ରହିଥିବା ସୂଚନା ଦେଇଥିଲେ ଯଦ୍ୱାରା ଯେକୌଣସି ପରିସ୍ଥିତିର ଜିଲ୍ଲାର ପିଇବା ପାଣି ତଥା ତଦ ସଂକ୍ରାନ୍ତୀୟ ସମସ୍ୟା ର ମୁକାବିଲା କରିବା ପାଇଁ ସମ୍ପୃକ୍ତ ବିଭାଗ ସଜାଗ ତଥା ତତ୍ପର ରହିଥିବା ସୂଚୀତ କରିଥିଲେ ।

ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟ ପାନୀୟ ଜଳ ର ସୁବ୍ୟବସ୍ଥା ଯେମିତି ଶୀଘ୍ର ହେଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବି. ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଅଂଶୁଘାତ କକ୍ଷ ତଥା ଅଂଶୁଘାତ ମୁକାବିଲା ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଅନୁଧ୍ୟାନ କରିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ ।

ଆହୁରି ମଧ୍ୟ ଆଗାମୀ ଦିନରେ ବରିଷ୍ଠ ଅଧିକାରୀ ମାନେ ଭିନ୍ନ ଭିନ୍ନ କ୍ଷେତ୍ର ପରିଦର୍ଶନ ସମୟରେ ବ୍ଲକ ସ୍ତରରେ ଅଂଶୁଘାତ ସ୍ଥିତି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ବୈଠକ ରେ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତ ଜନିତ ମୃତ୍ୟୁ ସଂକ୍ରାନ୍ତୀୟ ତଦନ୍ତ ତଥ୍ୟ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ରାଜତ୍ୱ ନିରୀକ୍ଷକ ଯଥାଶୀଘ୍ର ସମ୍ପୃକ୍ତ ତହସିଲଦାର ଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି l

ପୁନଶ୍ଚ ଅଂଶୁଘାତ ଜନିତ ମୃତ୍ୟୁ ର ତଦନ୍ତ ତଥ୍ୟ ଓ ବ୍ୟବଛେଦ ବିବରଣୀ ତଥ୍ୟ ସମ୍ପୃକ୍ତ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ଭାବେ ରାଜତ୍ୱ ନିରୀକ୍ଷକଙ୍କଠୁ ସୂଚନା ପ୍ରାପ୍ତି ର ୨ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂକ୍ରାନ୍ତୀୟ ସଠିକ ବିବରଣୀ ସହ ଜିଲ୍ଲପାଳ ଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି l ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ଆବଶ୍ୟକ ଜଳଛତ୍ର, ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତଥା ପାଣି ଟ୍ୟାଙ୍କର ଆଦି କୁ ନିରବଚ୍ଛିନ୍ନ ଭାବରେ ଚାଲୁ ରଖିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ତାଗିତ କରିଥିଲେ ।

ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଙ୍କୁ ପାନୀୟ ଜଳ ଯୋଗାଣ ସ୍ଥାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବାକୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି । ପରିଶେଷରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୁବର୍ଣ୍ଣପୁର ର ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ ପୂର୍ବକ ପରାମର୍ଶ କରିଛନ୍ତି କି ଅତି ଆବଶ୍ୟକ ନହେଲେ ଜନସାଧାରଣ କେହି ଘରୁ ପଦାକୁ ବାହାରିବେ ନାହିଁ, ପରିସ୍ଥିତି ଉପରେ ନଜର ରଖିବା ସହ ନିଜକୁ ସର୍ବଦା ସଜଳ ରଖିବେ ଯଦ୍ ଦ୍ଵାରା ଆମେ ଆମର ଧନ ଜୀବନ ସୁରକ୍ଷିତ ରଖି ପାରିବ ଏବଂ ଆସନ୍ନ ଅଂଶୁଘାତ ଜନିତ ଯେ କୌଣସି ବିପଦ କୁ ଏଡ଼ାଇବାକୁ ସକ୍ଷମ ହୋଇପାରିବା ।