Related Contents

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ

ବରଗଡ଼ (ଓଡିଶା ନ୍ୟୁଜ୨୪): ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପୂର୍ବରୁ ଚାରୋଟି ପର୍ଯ୍ୟାୟରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଗତକାଲି ରାତିରେ ଓଡ଼ିଶା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ଏଥିରେ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ନିଜ ନାଁ ନଥିବାରୁ ପୂର୍ବତନ ବିଧାୟକ ସାଧୁ ନେପାକ ଦଳରୁ ଇସ୍ତଫା ଦେଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ବରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ବିଧାନସଭା ଆସନ ପାଇଁ ନିପନ ଦାଶଙ୍କ ନାମ ଘୋଷଣା କରିଛି । ଶ୍ରୀ ନେପାକ ବରଗଡ଼ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ । ସାଧୁ ନେପାକ କହିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ୍ ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍ କାଟି ଦିଆଗଲା । ପ୍ରାର୍ଥୀ ତାଲିକା ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା । ସେମାନେ ନିଜ ନିଜ ଇସ୍ତଫାପତ୍ର ଦେବା ସହିତ ମୋତେ ବି ଇସ୍ତଫା ଦେବାକୁ କହିଲେ । ମୁଁ କର୍ମୀ ଓ ଜନସାଧାରଣଙ୍କ ନିଷ୍ପତ୍ତିକ୍ରମେ ଦଳ ଛାଡ଼ିଛି । ସେ କହିଛନ୍ତି,“କଂଗ୍ରେସ ଦଳ ମୋର ନମସ୍ୟ । ମୋ ଶରୀରରେ କଂଗ୍ରେସର ରକ୍ତ ପ୍ରବାହିତ ହେଉଛି । କଂଗ୍ରେସ ଦଳ ମୋତେ ସମ୍ମାନ ଦେଇଛି । ୧୯୭୦ ମସିହାରୁ ଏ ଦଳ ସହିତ ରହି ମୁଁ କାମ କରିଛି । ମାତ୍ର କେତେ ସ୍ୱାର୍ଥପର ବ୍ୟକ୍ତି ଦଳକୁ ବରବାଦ କରିବା ପାଇଁ ବସିଛନ୍ତି।” ସାଧୁ ନେପାକ ତାଙ୍କ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ କହିଛନ୍ତି ଯେ ସେ ତାଙ୍କ ଅଞ୍ଚଳ ଲୋକଙ୍କୁ ଭଲ ପାଆନ୍ତି ଓ ତାଙ୍କ ପାଇଁ କାମ କରିବେ । ଯଦି ଲୋକେ କହିବେ, ତା’ହେଲେ ସେ ଚଳିତ ନିର୍ବାଚନ ଲଢ଼ିବେ । ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି, ପିସିସି ସଭାପତି ଓ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି ।

Comments are closed.