ଅଙ୍ଗନଦୀରୁ ଟ୍ରଲର ଖସି ଜଣେ ମୃତ, ଜଣେ ଗୁରୁତର

ପଦ୍ମପୁର (ଜଗବନ୍ଧୁ ସାହୁ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ନିକଟସ୍ଥ ମହୁଲପାଲି ଦେଇ ଯାଇଥିବା ଅଙ୍ଗନଦୀ ପୋଲ ଉପରୁ ଏକ ଟ୍ରଲର୍ ଗାଡ଼ି ଖସିଯାଇ ଦର୍ଘଟଣାଗ୍ରସ୍ଥ ହୋଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ OD 05 AM 8547 ନମ୍ବର ଥିବା ଏକ ଟ୍ରଲର୍ ଗାଡ଼ି ଲୁହା ଛଡ଼ ବୋଝେଇ ଅନୁଗୁଳ ଜିଲ୍ଲାରୁ ନୂଆପଡା ଜିଲ୍ଲା ଅଭିମୁଖେ ଯିବା ବାଟରେ ମହୁଲପାଲି ଅଙ୍ଗନଦୀ ପାରି ହେବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯିବାରୁ ଡ୍ରାଇଭର ଅନୀଲ ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ହେଲପର୍ ଅନୀଲ ପାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ପହଞ୍ଚି ଉଦ୍ଧାର କରିଥିଲେ । ଆହତ ବ୍ୟକ୍ତିଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ମୃତ ଅନୀଲ ନାୟକ ନୟାଗଡ଼ ଇଟାମାଟିର ହୋଇଥିବା ବେଳେ ଆହତ ଅନୀଲ ପାତ୍ର ନୟାଗଡ଼ ଗୋଲପୋଖରୀ ର ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡିଛି ।

Comments are closed.