Related Contents

ପଦ୍ମଶ୍ରୀ କମଳା ପୂଜାରୀ ଫେରିଲେ, କହିଲେ ସରକାରୀ ସହାୟତା ଲୋଡ଼ା

କୋରାପୁଟ (ସୌମ୍ୟରଂଜନ ସାହୁ): ପଦ୍ମଶ୍ରୀ ଉପାଧିରେ ଭୂଷିତ କମଳା ପୂଜାରୀ ଆଜି ନିଜ ଗାଁ ପାତ୍ରପୁଟକୁ ଫେରିଛନ୍ତି । ତାଙ୍କର ଏହି ଫେରିବା ବାଟରେ କୋରାପୁଟ ଠାରେ ତାଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି ।

ଜିଲ୍ଲାର ଏକ ଛୋଟ ଅଖ୍ୟାତ ଗ୍ରାମ ପାତ୍ରପୁଟ ଗାଁରେ ଜୈବିକ ପଦ୍ଧତିରେ ପାରମ୍ପରିକ ଚାଷବାସ କରି ଚର୍ଚ୍ଚାକୁ ଆସିଥିଲେ। ଅନ୍ୟପଟେ ଜୟପୁରସ୍ଥିତ ସ୍ବାମୀନାଥନ ଫାଉଣ୍ଡେସନର ସକ୍ରିୟ ସହଯୋଗରେ ୩ଶହରୁ ଊର୍ଦ୍ଧ୍ୱ ପାରମ୍ପରିକ ଧାନକୁ ସଂରକ୍ଷଣ କରିବା ପାଇଁ ସୁଯୋଗ ମିଳିଥିଲା । ସଂସ୍ଥାର ସହଯୋଗରେ ୨୦୦୨ ମସିହାରେ ଜୋହେନ୍ସ ବର୍ଗରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ତାଙ୍କ ଅନୁଭୂତିକୁ ବାଣ୍ଟିଥିଲେ । ତାଙ୍କର ଏହି ଅନନ୍ୟ ପ୍ରତିଭାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି । ତେବେ ନିଜ ପେଟ ଚାଖଣ୍ଡକ ପାଇଁ ଓ ପରିବାର ବର୍ଗର ଭରଣ ପୋଷଣ ପାଇଁ ଏ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ତାଙ୍କ ପାଇଁ କୌଣସି ମାସିକ ଭତ୍ତା ଦେବାର ଯୋଜନା କାର୍ଯ୍ୟକାରୀ କରାଯାଇନଥିବା ସମସ୍ତଙ୍କୁ ଚିନ୍ତିତ କରିଛି ।
ଆଜି ଯେତେବେଳେ ପଦ୍ମଶ୍ରୀ କମଳା ପୂଜାରୀ ଦିଲ୍ଲୀରୁ ଫେରିଛନ୍ତି ସେ ସରକାରଙ୍କ ଠାରୁ ନିଜ ଜୀବନ ଜୀବିକା ପାଇଁ ସହଯୋଗ ରାଶି ବା ଯୋଜନା ଭିକ୍ଷା କରିନାହାଁନ୍ତି । ତେବେ ଯେଉଁ ଧାନ ସଂରକ୍ଷଣ ପାଇଁ ତାଙ୍କୁ ଆଜି ଏତେ ବଡ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି, ସେହି କାର୍ଯ୍ୟ ଆଗକୁ ନେବା ପାଇଁ ସେ ସରକାରୀ ସହଯୋଗ ଆବଶ୍ୟକ କରିଛନ୍ତି । ଧାନ ସାଇତି ରଖିବା ପାଇଁ ଘରଟିଏ ଓ ସେ କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ସରକାରୀ ସହଯୋଗର ହାତ ମାଗିଛନ୍ତି କମଳା ।

Comments are closed.