Related Contents

ବ୍ରଜରାଜନଗର ବିଧାୟିକା ଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରୁଛନ୍ତି ନିଜ ଦଳୀୟ ନେତା ଓ କର୍ମୀ

ଭୁବନେଶ୍ୱର (ଓଡିଶା ନ୍ୟଯୁ୨୪): ଭୋଟ୍ ସମୟ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଗ ସେତିକି ଘନୀଭୂତ ହେବା ସହିତ ବାତ୍ୟାର ରୂପ ନେଉଛି । ସବୁ ଦଳରେ ବିଦ୍ରୋହ ଓ ଅସନ୍ତୋଷ ଦେଖା ଦେବା ସହ ଦଳବଦଳ ବି ଚାଲିଛି। ତେବେ ବିଜେପିର ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବହୁ ଦଳୀୟ ନେତା ଓ କର୍ମୀ ଆସି ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି ।

ଶ୍ରୀମତୀ ପଣ୍ଡାଙ୍କୁ ଦଳ ପୁଣି ପ୍ରାର୍ଥୀ କଲେ କେହି ସମର୍ଥନ କରିବେ ନାହିଁ ବୋଲି ରୋକ୍ ଶୁଣାଇଛନ୍ତି । ଫଳରେ ରାଧାରାଣୀ ଏବଂ ରାଜ୍ୟ ବିଜେପି ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଆସନକୁ ନେଇ ଅଡୁଆ ସୃଷ୍ଟି କରିଛି । ଦଳୀୟ କାର୍ଯ୍ୟାଳୟକୁ ଆସି ଶତାଧିକ ଦଳୀୟ ନେତା ଓ କର୍ମୀ ଖୋଲାଖୋଲି ସେମାନଙ୍କ ବିରୋଧାଭାବ ଜଣାଇଛନ୍ତି । ଶ୍ରୀମତୀ ପଣ୍ଡାଙ୍କ ବିରୋଧରେ ସେମାନେ ବିଶୋଦଗାର କରିଛନ୍ତି । ବିଧାୟିକା ହେବା ପରେ ସେ ଆଉ ଲୋକସମ୍ପର୍କ ରଖିନାହାଁନ୍ତି । କେହି କିଛି କହିଲେ ପାଲଟା ଧମକ ଦେଉଛନ୍ତି । ସ୍ଥାନୀୟ ନେତା କହିଛନ୍ତି ଦଳ ଯେତେବେଳେ ତାଙ୍କୁ ନେଲା ସେତେବେଳେ ସମସ୍ତକର୍ମୀ ହୃଦୟର ସହ ଗ୍ରହଣ କଲେ ଓ ତାଙ୍କ ପାଇଁ ଏକାଠି ହୋଇ କାମ କରିଥିଲେ । ସେ ପ୍ରଥମେ ସାଂସଦ ଭାବେ ୨୦୦୯ରେ ନିର୍ବାଚନ ଲଢ଼ିଥିଲେ । ସେତେବେଳେ ସେ ନିଜେ ପ୍ରଚାର କରିଥିଲେ ଏମପିରେ ମୋତେ ଦିଅ ଏମଏଲଏରେ ଯାହାକୁ ଦେଉଛ ଦିଅ । ତାକୁ ବି ଦଳୀୟକର୍ମୀ ଗ୍ରହଣ କରିଥିଲେ । ଏହାପରେ ସେ ୨୦୧୪ରେ ବିଧାୟିକା ପ୍ରାର୍ଥୀ ହେଲେ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ । ସେତେବେଳେ ବି ଦଳୀୟ ନେତାମାନେ ତାଙ୍କୁ ସମର୍ଥନ ଦେଇଥିଲେ । ତାଙ୍କୁ ଜିତାଇବା ପାଇଁ ସମସ୍ତେ ପୁରା ଲାଗି ପଡ଼ିଥିଲେ ଆଉ ଜିତାଇଥିଲେ । ହେଲେ ସେ ଜିତିଲା ପରେ ତାଙ୍କର ହାବଭାବ ବଦଳିଯାଇଛି । ଯଦି ତାଙ୍କର ସତସାହାସ ଅଛି ତେବେ ସ୍ୱାଧୀନଭାବେ ଲଢ଼ନ୍ତୁ । ଏହାକୁ ସେମାନେ ସ୍ୱାଗତ କରିବେ ବୋଲି କହିଛନ୍ତି । ଏଣୁ ରାଧାରାଣୀ ବ୍ୟତୀତ ଦଳ ଅନ୍ୟ ଯାହାକୁ ଦେବ ତାକୁ ଆମେ ଜିତାଇବୁ, ତାଙ୍କ ପାଇଁ କାମ କରିବୁ । କର୍ମୀଙ୍କୁ ସହଯୋଗ କରିବା ବଦଳରେ ସେ ଅସମ୍ମାନିତ କରୁଛନ୍ତି । ସେ କହୁଛନ୍ତି ବିଜେପିକର୍ମୀ ମୋତେ ଜିତାଇନାହାଁନ୍ତି, ତେବେ ସେ ଜିତିଲେ କେମିତି ବୋଲି ପ୍ରଶ୍ନ କରାଯାଇଛି ।
ଜଣେ ମହିଳା ନେତ୍ରୀ କହିଛନ୍ତି ବିଧାୟିକା ଜଣେ ମହିଳା ହୋଇ ମହିଳା କର୍ମୀମାନଙ୍କୁ ଅସମ୍ମାନିତ କରୁଛନ୍ତି । ତାଙ୍କର କୌଣସି ଭୁଲ କାମରେ ଆମେ ଅସହଯୋଗକଲେ ସେ ଆମକୁ ଧମକ ଚମକ ଦେଉଛନ୍ତି । କହୁଛନ୍ତି ମୋ ସ୍ୱାମୀ ଜଣେ କ୍ରିମିନାଲ ଓକିଲ । ଏଭଳି ବିଭିନ୍ନ କଥା କହୁଥିବା ଅଭିଯୋଗ କରାଯାଇଛି । ଦଳୀୟ କର୍ମୀଙ୍କ ଏଭଳି ବିରୋଧ ବିଜେପି ପାଇଁ ଏବେ ଚିନ୍ତାର କାରଣ ହୋଇଛି । ଏ ପରିସ୍ଥିତିରେ ରାଧାରାଣୀଙ୍କୁ ଦଳ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା କେତେଦୂର ରହିବ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଦଳ ଏ ଦିଗରେ କି ପଦକ୍ଷେପ ନେଉଛି ତାହା ଉପରେ ସବୁ କିଛି ନିର୍ଭର କରୁଛି ।

Comments are closed.