Related Contents

ବିଜେପିରେ ମିଶିଲେ ପାରାଦ୍ୱୀପ ବିଧାୟକ ଡାକ୍ତର ଦାମୋଦର ରାଉତ

ଭୁବନେଶ୍ୱର (ଓଡିଶା ନ୍ୟୁଜ୨୪): ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପିରେ ଯୋଗଦେଇଛନ୍ତି ବିଜେଡିରୁ ବହିଷ୍କୃତ ପାରାଦୀପ ବିଧାୟକ ଡା. ଦାମୋଦର ରାଉତ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦାମ ରାଉତ ।

ବିଜେଡିରୁ ବହିଷ୍କାର ହେବାର ଠିକ୍ ୬ମାସ ପରେ ବିଜେପିରେ ସାମିଲ ହୋଇଛନ୍ତି ଦାମ । ଏହା ପୂର୍ବରୁ ପାରାଦୀପରେ ପଦ୍ମ ଫୁଟାଇବାକୁ ଦାମ ଯେଉଁ ପଣ କରିଥିଲେ ବିଜେପିରେ ମିଶିବା ପରେ ତାହା ଆହୁରି ସହଜ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ବିଜେପିରେ ଯୋଗଦେବା ପରେ ଦାମ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି । ଅପରପକ୍ଷରେ ଏହି ମିଶ୍ରଣ ପର୍ବରେ ସେ ରାଜ୍ୟର ବିଜେଡ଼ି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଏବେ ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ସହ ନାରୀ ନିର୍ଯାତନା ବଢିବାରେ ଲାଗିଛି । ଏହାପୂର୍ବରୁ ଦାମ ଆଜି ଗଣମାଧ୍ୟମରେ କହିଥିଲେ, ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ମଧ୍ୟ ନବୀନ ସରକାରକୁ ସେହିଭଳି ନିନ୍ଦିତ କରିବି । ବୁଧବାର ଦିନ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଶେଷ ମୁହୁର୍ତରେ ବାତିଲ ହୋଇଥିଲା । ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍ ଅଫର୍ ଦେବା ପରେ ପରିବାରର ଚାପ ଆଗରେ ସେ ମତ ବଦଳାଇଥିବା ଚର୍ଚ୍ଚା ହେଉଥିଲା । ତେବେ ଦିନକ ପରେ ପୁଣି ଥରେ ନବୀନ ବିରୋଧୀ ଆଭିମୁଖ୍ୟକୁ ଦୋହରାଇଛନ୍ତି ଦାମ । ଗୋଟିଏ ପଟେ ବାପା ଦାମ ରାଉତ ବିଜେପିରେ ମିଶି ବିଜେଡିକୁ ଚେକ୍ ଦେବାକୁ ଚାହୁଁଥିବା ବେଳେ ଦିନ ତମାମ ନବୀନ ନିବାସରେ ପୁଅ ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା । ନବୀନଙ୍କ କ୍ୟାମ୍ପର ନେତା ସମ୍ବିତଙ୍କ ସହ ଆଲୋଚନା କରିଥିଲେ । ଏପରିକି ବାପାଙ୍କୁ ବିଜେପିରେ ଯୋଗ ନ ଦେବାକୁ ବୁଝାଇବାକୁ ସମ୍ବିତଙ୍କୁ କୁହାଯାଇଥିଲା । କିନ୍ତୁ ଦାମଙ୍କୁ ଚୁପ୍ କରିବାକୁ ବିଜେଡି ଯେଉଁ ଫର୍ମୁଲା ଆପଣାଇଥିଲା ସେଥିରେ ଖୋଦ୍ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ଦାମ । ପୁଅ କିମ୍ବା ଝିଅ କାହା କଥା ଶୁଣିବି ନାହିଁ ବୋଲି ଆଜି ରୋକଠୋକ କହିଛନ୍ତି ଦାମ । ଏପରିକି ୨୦୧୯ରେ ନବୀନ ସରକାରକୁ ମାତ୍ ଦେବାକୁ ସବୁ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ଦାମ । ସେପଟେ ସମ୍ବିତ ମଧ୍ୟ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ଆଶାୟୀ ଥିବା କହିଛନ୍ତି । ଏଣୁ ଏବେ ପାରାଦୀପରେ ବାପ-ପୁଅ ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତୀକ ମହଲରେ ଚର୍ଚ୍ଚା ହେଉଛି ।

Comments are closed.