ଦେଶ ଦେବାଳିଆ ହୋଇଯିବ : ଦିଲ୍ଲୀ ହାଇକୋର୍ଟ

0
128
ଦେଶ ଦେବାଳିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୯/୦୪) : କରୋନା ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଅନୁକମ୍ପା ପ୍ରଦାନ ନେଇ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଏତେ ଅର୍ଥ ଦେଲେ ଦେଶ ଦେବାଳିଆ ହୋଇଯିବ ବୋଲି ଏକ ମାମଲା ର ଶୁଣାଣି ବେଳେ କୋର୍ଟ କହିଛନ୍ତି ।

ସୂଚନାନୁସାରେ, ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କରୋନା କାରଣରୁ କିମ୍ବା ୧ ମାସ ମଧ୍ୟରେ ପୋଷ୍ଟ୍ କୋଭିଡ୍ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ପ୍ରଦାନ ନେଇ ଆବେଦନକୁ ଖାରଜ କରିଛନ୍ତି । ଏଥିପାଇଁ ନିର୍ଦ୍ଦେଶନାମା ପାରିତ କରିବେ ନାହିଁ ବୋଲି କୋର୍ଟ ସଫାସଫା ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ବୀପିନ ସାଙ୍ଘୀ ଓ ଜଷ୍ଟିସ୍ ନବୀନ ଚାଓ୍ୱଲାଙ୍କ ଖଣ୍ଡପୀଠ ଏହି ମାମଲା ର ଶୁଣାଣି କରିଥିଲେ । ଶୁଣାଣି ବେଳେ ଖଣ୍ଡପୀଟ କହିଥିଲେ ଯେ, ଏପରି ନିର୍ଦ୍ଦେଶ ଦେଲେ ଦେଶ ଦେବାଳିଆ ହୋଇଯିବ ।

ପୂର୍ବରୁ ସରକାର ପୀଡିତଙ୍କ ପରିବାରକୁ ଅନୁକମ୍ପା ପ୍ରଦାନ ନେଇ ନୀତି ଧାର୍ଯ୍ୟ କରିଛନ୍ତି । ଏନେଇ ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଯାହାକୁ ରାଜ୍ୟ ସରକାର ଆପତକାଳୀନ ପାଣ୍ଢିରୁ ପ୍ରଦାନ କରିପାରିବେ ।

ସୂଚନାଯୋଗ୍ୟ, ଡାକ୍ତର ବିଦ୍ୟୋତମା ଝା ଅନୁକମ୍ପା ପ୍ରଦାନ ନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ । ସେ କରୋନା ମୃତକଙ୍କ ପରିବାରକୁ ସରକାର ୧ କୋଟି ଟଙ୍କା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି ।