ଆଇପିଏଲ୍‌-୧୫ : ଆଜି ମୁହାଁମୁହିଁ ହେବେ ପଞ୍ଜାବ- ଗୁଜୁରାଟ

0
162
ଆଇପିଏଲ୍‌-୧୫

ରିପୋର୍ଟ : ରାମନାଥ ଗନ୍ତାୟତ //
ମୁମ୍ବାଇ, (୦୮/୦୪) : ଆଇପିଏଲ୍‌-୧୫, ଚଳିତ ଆଇପିଏଲ୍‌ ର ୧୬ତମ ଲିଗ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ପଞ୍ଜାବ କିଙ୍ଗ୍‌ସ ର ଦୁର୍ଦ୍ଦର୍ଷ ବ୍ୟାଟର ଓ ଟାଇଟନ୍ସ ର ଘାତକ ବୋଲରଙ୍କ ମଧ୍ୟରେ ଅସଲ ଲଢେଇ ହେବ । ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଆଇପିଏଲ୍‌-୧୫, ପଞ୍ଜାବ କିଙ୍ଗ୍‌ସ ଦଳରେ ଶିଖର ଧାୱନ ଓ ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଶାହରୁଖ ଖାନ, ଓଡିନ ସ୍ମିଥ୍‌, ଭାନୁକା ରାଜାପାକ୍ସାଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ପ୍ରତି ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଇବାର କ୍ଷମତା ଏହି ବ୍ୟାଟିଂ ବିଭାଗ ନିକଟରେ ରହିଛି । ଅନ୍ୟପଟରେ ରହିଛନ୍ତି ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନଙ୍କ ଭଳି ଦକ୍ଷ ବୋଲର । ପାୱାର ପ୍ଲେ ଓଭରରେ କିଙ୍ଗ୍‌ସ ଦଳ ସର୍ବାଧିକ ୧୦.୯୪ ହାରରେ ରନ୍‌ ସଂଗ୍ରହ କରିଛି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୨୦୬ ରନ୍‌ ର ବିଶାଳ ଲକ୍ଷ୍ୟ ର ପିଛା କରି ମଧ୍ୟ କିଙ୍ଗ୍‌ସ ଦଳ ବିଜୟୀ ହୋଇଥିଲା । ଏହାପରେ ଦଳ କୋଲକାତା ନାଇଟ୍‌ ରାଇଡର୍ସ ଠାରୁ ପରାଜିତ ହୋଇଥିଲେ ହେଁ ପରବର୍ତ୍ତୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇଥିଲା । ବର୍ତ୍ତମାନ ଦଳ ର ମନୋବଳ ଦୃଢ ରହିଛି ।

ଗୁଜରାଟ ଟାଇଟନ୍ସ ଇତି ମଧ୍ୟରେ ୨ଟି ମ୍ୟାଚ୍‌ ଖେଳି ଅପରାଜେୟ ରହିଛି । ଉଭୟ ମ୍ୟାଚ୍‌ରେ ଟାଇଟନ୍ସ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ସୁପରଜାଏଣ୍ଟ୍‌ସ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଦ୍ୱିତୀୟରେ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ପ୍ରଥମରେ ବ୍ୟାଟିଂ କରି ଜିତିଥିଲା । ଏଥିରୁ ଦଳ ର ସନ୍ତୁଳନ ସ୍ପଷ୍ଟ ହେଉଛି । ସବୁ ପରିସ୍ଥିତିରେ ଜିତିବାର କ୍ଷମତା ଟାଇଟନ୍ସ ଦଳ ନିକଟରେ ରହିଛି । ବିଶେଷ କରି ଦଳଗତ ପ୍ରଦର୍ଶନ ଉପରେ ଟାଇଟନ୍ସ ପ୍ରାଥମିକତା ଦେଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱକୁ ମଧ୍ୟ ସମୀକ୍ଷକ ମହଲରେ ପ୍ରଶଂସା କରାଯାଉଛି ।

ଶୁକ୍ରବାର ପେସ୍‌ ବୋଲର ବରୁଣ ଆରୋନ ଖେଳିବା ନେଇ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ଆହତ ହୋଇଥିଲେ । ଫିଟ୍‌ ଘୋଷିତ ନହେଲେ ବରୁଣଙ୍କ ସ୍ଥାନରେ ଦର୍ଶନ ନାଲକନ୍ଦେ, ୟଶ ଦୟାଲ କିମ୍ବା ପ୍ରଦୀପ ସାଙ୍ଗୱାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ।

ପଞ୍ଜାବ କିଙ୍ଗ୍‌ସ: ମୟଙ୍କ ଅଗ୍ରୱାଲ୍‌ (ଅଧିନାୟକ), ଶିଖର ଧାୱନ, ଭାନୁକା ରାଜାପାକ୍ସା, ଲାଏମ ଲିଭଙ୍ଗଷ୍ଟୋନ, ଶାହରୁଖ ଖାନ, ଜିତେଶ ଶର୍ମା, ଓଡ଼ିନ ସ୍ମିଥ୍‌, ଅର୍ଶଦୀପ ସିଂହ, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଆରୋରା ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ, ମାଥ୍ୟୁ ୱେଡ୍‌, ବିଜୟ ଶଙ୍କର, ଅଭିନବ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ବରୁଣ ଆରୋନ/ ୟଶ ଦୟାଲ/ ଦର୍ଶନ ନାଲକନ୍ଦେ/ପ୍ରଦିପ ସାଙ୍ଗୱାନ, ଲୋକି ଫର୍ଗୁସନ, ମହମ୍ମଦ ସାମି ।