ଏନଏସି, ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ : ତିନି ମହାନଗର ନିଗମ ପାଇଁ ଅଲଗା ତାରିଖ ଘୋଷଣା

0
177
ଏନଏସି

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୦୭/୦୪) : ୫୮ ଏନଏସି ଓ ୪୭ ପୌର ପରିଷଦ ଉପାଧ୍ୟକ୍ଷ ଓ ତିନି ମହାନଗର ନିଗମର ଡେପୁଟୀ ମେୟର ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ ।

ଆସନ୍ତାକାଲି ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହେବ । କାଲି ପୂର୍ବାହ୍ନ ୧୦ ଟାରୁ ୧୧ ଟା ଭିତରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ୧୧ ଟାରୁ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ହେବ । ଏହା ପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ଣ ସାଢେ଼ ଗୋଟାଏରୁ ସାଢେ଼ ୩ଟା ଯାଏଁ ମତଦାନ ଚାଲିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ।

ସେହିପରି ଏପ୍ରିଲ୍ ୭ ତାରିଖରେ କଟକ ମହାନଗର ନିଗମ, ୮ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ । ମହାନଗର ନିଗମ ଗୁଡ଼ିକରେ ନିର୍ଦ୍ଧାରିତ ଦିନ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଂଚ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ମତଦାନ ସରିବା ପରେ ସେହିିଦିନ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

୨ ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ଦଳବଦଳ ବିରୋଧ ଆଇନ୍ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ୍ ଦେଖାଇ ଭୋଟ ଦେବେ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।