Related Contents

ସାଧାରଣ ନିର୍ବାଚନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ.ସତୀଶ): ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ସ୍ଥଳେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତାରେ ସ୍ଥାନୀୟ ଅଶୋକ ମେହେଟା ସମ୍ମଳିନୀ କକ୍ଷରେ ଏକ ସାମ୍ବାଦିକ ବୈଠକ ଅନୁଷ୍ଠିତ ହୋଇଥିଲା ।

ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ ପାଇଁ ଆସନ୍ତା ମାସ ଏପ୍ରିଲ ୧୧ ତାରିଖରେ ନିର୍ବାଚନ ହେବ । ମାର୍ଚ୍ଚ ୧୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ମାର୍ଚ୍ଚ ୨୫ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ଓ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ, ୨୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରବିବାର ସନ୍ଧ୍ୟାରୁ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ ପୋଷ୍ଟର ଓ ବ୍ୟାନର ଗୁଡିକୁ ହଟାଇ ଦିଆଯାଇଥିବା ସହ ଜିଲ୍ଲାରେ କୌଣସି ନୂତନ ଉନ୍ନୟନ ମୂଳକ କାର୍ଯ୍ୟ ନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା କହିଥିଲେ । ଜିଲ୍ଲାରେ ୯୮୩ ଟି ବୁଥରେ ଇଭିଏମ ଓ ଭିଭିପେଟ ମାଧ୍ୟମରେ ଭୋଟର ମତଦାନ କରିବେ । ଜିଲ୍ଲାରେ ଚାରଟି ନିର୍ବାଚନ ମଣ୍ଡଳୀର ସୁରକ୍ଷା ଓ ସୁବିଧା ଦୃଷ୍ଟି ପାଇଁ ୮ଟି ଷ୍ଟ୍ରଙ୍ଗ ରୁମ କରାଯିବ । ପ୍ରାର୍ଥୀପତ୍ର ଦାଖଲ ସମୟରେ କୌଣସି ପ୍ରାର୍ଥୀ ଅପରାଧିକ କାର୍ଯ୍ୟରେ ଜଡିତ କିମ୍ବା ତାଙ୍କ ନାମରେ ମାମଲା ଓ ବିଚାରଧୀନ ରହିଥିବ ତାହାହେଲେ ସେ ସମ୍ପର୍କରେ ସମ୍ପୂର୍ଣ ସତ୍ୟପାଠରେ ଦର୍ଶାଇବେ । କୌଣସି ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦାଖଲ କରିଥିବେ ତେବେ ଯେ କୌଣସି ବ୍ୟକ୍ତି ତାହା ବିଷୟରେ ସତ୍ୟପାଠ ମ।ଧ୍ୟମରେ ଅଭିଯୋଗ କରିପାରିବେ । ନଗଦ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରାର୍ଥୀ ଖର୍ଚ୍ଚ କରିପାରିବ ତାହା ଠାରୁ ଅଧିକ ହେଲେ ଅନଲାଇନ କିମ୍ବା ଚେକ ଦ୍ୱାରା ଖର୍ଚ୍ଚ କରିପାରିବ ।

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲୋକସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ଥିବାବେଳେ ନବରଙ୍ଗପୁର ଓ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଓ ଉମରକୋଟ ଓ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର ଭାବେ ରହିବେ । ନିର୍ବାଚନ ଖର୍ଚ୍ଚ ବାବଦରେ ଜଣେ ଲୋକସଭା ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ଓ ଜଣେ ବିଧାନସଭା ପ୍ରାର୍ଥୀ ୨୮ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ କରୁଣାକର ରାଇକା, ଡେପୁଟି କଲେକ୍ଟର ପ୍ରଭାକର ପଣ୍ଡା, ସହକାରୀ ଜିଲ୍ଲାପାଳ ନିର୍ମଳ କୁମାର ନାୟକ, ମଧୁସୂଦନ ମାଝୀ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.