ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବିକ୍ଷୋଭ

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ବ୍ଲକର ଗରିବ ଏବଂ ଭତ୍ତା ହିତାଧିକାରୀ ସଂଗଠନ ତରଫରୁ ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସଂଗଠନର ଆବାହକ ଉଜଳ ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ତଥା ପ୍ରତିବାଦ ସଭାରେ ମୁଣ୍ଡପିଛା ୫ କିଲୋ ଚାଉଳ ବଦଳରେ ୨୫ କିଲୋ ଦିଆଯିବା ସହିତ ୫କେଜି ଡାଲି, ଚିନି, କିରାସିନି ତଥା ୨କେଜି ଆୟୋଡିନ ଲୁଣ ସରକାର ଯୋଗାଇ ଦେବାକୁ ଦାବି କରାଯାଇଥିଲା । ଗଣତାନ୍ତ୍ରିକ ରାଷ୍ଟ୍ରର ସାମ୍ବିଧାନିକ ଅଧିକାର ଅନୁଯାୟୀ ପ୍ରତ୍ୟେକ ନାଗରିକ ମର୍ଯ୍ୟାଦା ପୂର୍ଣ୍ଣ ଭାବେ ବଞ୍ଚିବାର ଅଧିକାର ରହିଥିଲେ ମଧ୍ୟ ଆଜି ବି ଅନେକ ଗରିବ ଲୋକ ଦୁଇ ଓଳି ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ତେଣୁ ଉପରୋକ୍ତ ଦାବି ଅନୁଯାୟୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଅଂଚଳର ସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ପ୍ରତି ଉପଯୁକ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡ଼ିଓ ଶ୍ରୀ ଖଡ଼ିଆ ପ୍ରତିଶ୍ରୁତି ଦେଇଥିଲେ। ସମାରୋହରେ ବନିତା ପଧାନ, ଲିଲି ମାହାଣା, ଅଜିତ ବେହେରା , ସିନ୍ଧୁ ଝାଙ୍କର, ଦହିତ ବିଭାର, ମହେନ୍ଦ୍ର ବାରିକ ପ୍ରମୁଖ ସାମିଲ ଥିଲେ ।

Comments are closed.