ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୧ ଡିଗ୍ରୀ ଉପରେ ୬ ଜିଲ୍ଲା

0
185
ପଶ୍ଚିମ ଓଡ଼ିଶାରେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୪/୦୪) : ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ୧୧ ଟାରୁ ଆରମ୍ଭ ହୋଇଯାଉଛି ଯାତନା । ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକୋପ ସାଙ୍ଗକୁ ଝାଞ୍ଜିମାଡ଼ ଅସ୍ତବ୍ୟସ୍ତ କରି ପକାଉଛି ।

ଘର, ଦ୍ବାର, କାନ୍ଥ, ବାଡ଼ ସବୁ ତାତି ଯାଉଛି । ନା ବାହାରକୁ ଯାଇ ହେଉଛି ନା ଘରେ ଶାନ୍ତିରେ ଟିକିଏ ଶୋଇ ହେଉଛି, ଫ୍ୟାନ୍‌ ପବନରୁ ବି ତତଲା ହାୱା ବାହାରୁଛି । ଆଉ ଦୁର୍ଭାଗ୍ୟକୁ ଯଦି ଏହି ସମୟରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଗଲା, ତେବେ କଥା ସରିଲା । ଯାତନା ଖାଲି ସେତିକିରେ ସରୁନି, ସୂର୍ଯ୍ୟ ଅସ୍ତ ହେବା ପରେ ମଧ୍ୟ ସଂଧ୍ୟା ସାଢ଼େ ୭ଟା, ୮ଟା ପର୍ଯ୍ୟନ୍ତ ତତଲା ପବନ ପ୍ରବାହ ଜାରି ରହୁଛି । ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକେ ଏମିତି କଲବଲ ହେଉଛନ୍ତି ।

ପଶ୍ଚିମ ଓଡ଼ିଶା ର ୬ ଜିଲ୍ଲା ର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ୪୧.୬ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ର ରେକର୍ଡ ଅକ୍ଷୁଣ୍ଣ ରଖିଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଦିନ ର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ସମ୍ବଲପୁରରେ ୪୧.୧ ଡିଗ୍ରୀ, ସୋନ୍‌ପୁରରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପାଗ ଏହିଭଳି ରହିବ । ଏଥିସହ ଆଭ୍ୟନ୍ତର ଓଡ଼ିଶା ର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିବ । ଫଳରେ ଅଧାରୁ ଅଧିକ ଓଡ଼ିଶା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।