ଶର୍ମିଷ୍ଠାଙ୍କ ବେଡରୁମରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀରେ କ’ଣ ଅଛି ? ଗୁମର ଖୋଲିବ କ୍ରାଇମବ୍ରାଞ୍ଚ

0
127
ଶର୍ମିଷ୍ଠାଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୪) : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମ ବ୍ରାଞ୍ଚ ।

ମାମଲାରେ ଅଧିକ ତଦନ୍ତ ର ଆବଶ୍ୟକତା ଥିବାରୁ ୫ ଦିନିଆ ରିମାଣ୍ଡ ନେବାକୁ କ୍ରାଇମ ବ୍ରାଞ୍ଚ ଆବେଦନ କରିବ । ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଆଜି ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯିବା ପରେ ପୁଣି ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ ।

ଗତକାଲି ରିମାଣ୍ଡ ର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମ ବ୍ରାଞ୍ଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମ ରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମ ବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିବ କ୍ରାଇମ ବ୍ରାଞ୍ଚ ।

ରିମାଣ୍ଡ ଅବଧି ବେଳେ କ୍ରାଇମ ବ୍ରାଞ୍ଚ ଆଗରେ ସତ ମାନିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତଙ୍କୁ କ୍ରାଇମ୍ ସ୍ପଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା କ୍ରାଇମ ବ୍ରାଞ୍ଚ । ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା, ସେହି ଚିପ୍ ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ନିକଟରେ ବି ନାହିଁ ବୋଲି ଜଣାପଡ଼ିଛି ।

ମେମୋରି ଚିପକୁ ମାନସ ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଲୁଚାଇ ରଖିଥିବା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶର୍ମିଷ୍ଠା । ତେବେ କ୍ରାଇମ ବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ଭଦ୍ରକ ଉପକାରାଗାରରେ ଥିବା ବିବେକ ନାୟକ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ବି ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।